ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । କାଦୁଅ ମାଟିରେ ଏବେ ବି ଚାଲିଛି ଜୀବନର ସନ୍ଧାନ । ସେନା ଓ ଏନଡିଆରଏଫ ଉଦ୍ଧାରକାମ ଜାରି ରଖିଛନ୍ତି । ତେବେ ବର୍ଷାକୁ ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ସତର୍କ କରିଥିଲା କେନ୍ଦ୍ର । କିନ୍ତୁ ଏହାକୁ ଖାତିର କରିନଥିଲେ କେରଳ ସରକାର । ଏନେଇ ଦୁଃଖପ୍ରକାଶ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା , ଗୁଜରାଟ ଭଳି ରାଜ୍ୟ ଆଗୁଆ ସୂଚନାକୁ ନେଇ ସତର୍କ ରହୁଥିବା ବେଳେ କେରଳ ସରକାରଙ୍କ ଖାମଖିଆଲି ମନୋଭାବ ଅନେକ ଲୋକଙ୍କ ପ୍ରାଣହାନୀ ଘଟାଇଥିବା ସେ କହିଛନ୍ତି ।
ପାହାଡ଼ ଧସିଯିବାରୁ କେତେକ ଗାଁ ମାଟି ତଳେ ରହିଯାଇଛି । ଏବେ ସୁଦ୍ଧା 250 ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ସେହିପରି 240 ଜଣ ନିଖୋଜ ଅଛନ୍ତି, ସେମାନଙ୍କ କୌଣସି ଖୋଜ ଖବର କି ପତ୍ତା ମିଳୁନାହିଁ । ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି । ୱାୟନାଡର ଭୟଙ୍କର ଭୁସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ୍ନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି । ତେଣୁ ଅସ୍ଥାୟୀ ପୋଲ କରି ଉଦ୍ଧାର କାର୍ଯ୍ୟ ଚାଲିଛି । କେରଳ ପୁଲିସ, ଏନଡିଆରଏଫ ଟିମ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଭୁସ୍ଖଳନ ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।