ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ । ଭୋଟରମାନେ ଧାଡିବାନ୍ଧି ମତଦାନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ସିଧାସଳଖ ବିଜେପି-କଂଗ୍ରେସ ଓ ଜେଏମଏମ ମଧ୍ୟରେ ଲଢ଼େଇ । ମଇଦାନରେ ଅଛନ୍ତି ୬୮୫ ପ୍ରାର୍ଥୀ।
ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ଚାଲିଛି ସେଥିରେ ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚି ଆସନ ରହିଛି । ଏହି ସବୁ ଆସନରେ ହେଭିଓ୍ବେଟ ନେତାମାନେ ନିର୍ବାଚନ ଲଢ଼ୁଛନ୍ତି ।
ସକାଳ ୭ଟାରୁ ଭୋଟରମାନେ ମତଦାନ କରୁଛନ୍ତି । ଇଷ୍ଟ ସିଂହଭୂମ ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା କ୍ଷେତ୍ର ରହିଛି । ପଲାମୁ, ପଶ୍ଚିମ ସିଂହଭୂମ ଓ ରାଞ୍ଚି ଜିଲ୍ଲାରେ ୫ଟି ଆସନରେ ମତଦାନ ହେଉଛି । ମୋଟ ୧୫ ହଜାର ୩୪୪ ବୁଥ୍ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଷଢ଼େଇକଳାରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପେଇ ସୋରେନ। ନିର୍ବାଚନ ପୂର୍ବରୁ ଚମ୍ପେଇ ଜେଏମଏମ ଛାଡ଼ି ପଦ୍ମ ଧରିଥିଲେ। କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରାଯିବାରୁ ସେ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ନିଜର ଏକ ବଡ଼ ସଂଗଠନ ରହିଛି । ରାଞ୍ଚିରୁ ନିର୍ବଚନ ଲଢୁଛନ୍ତି ଜେଏମଏମର ରାଜ୍ୟସଭା ସଦସ୍ୟ ମହୁଆ ମାନଜୀ ।
ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା । ତାଙ୍କ ବରୋଧରେ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ସରଜୂ ରୟ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ୨୦୧୯ ନିର୍ବାଚନରେ ହରାଇଥିଲେ ସରଜୂ ରୟ । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର । ବିଜେପି ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସହିତ ତାଙ୍କର ସିଧାସଳଖ ଫାଇଟ୍ ଚାଲିଛି ।