ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨ ଦିନିଆ ରୁଷ୍ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ଗସ୍ତ କରିଥିବା ବେଳେ କ୍ରେମଲିନ୍ କହିଛି ଯେ ପାଶ୍ଚାତ୍ୟ ଦେଶ ଏହି ଗସ୍ତକୁ ‘ଈର୍ଷା’ର ସହ ଦେଖୁଛି। ୨୨ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପୁଟିନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୮ରୁ ଦୁଇଦିନିଆ ମସ୍କୋ ଗସ୍ତରେ ଯାଇଛନ୍ତି। ଦୁଇ ନେତା ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିବେ ।
ଏହା ଏକ ସରକାରୀ ଗସ୍ତ ଏବଂ ଦୁଇ ନେତା ଅନୌପଚାରିକ ଭାବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ମୋଦୀଙ୍କ ଗସ୍ତ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଈର୍ଷାର ସହ ତୀକ୍ଷ୍ଣ ନଜର ରଖିଛନ୍ତି। ରୁଷ୍ର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋବ ମୋଦୀଙ୍କୁ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ରୁଷ୍ ଗସ୍ତ ସମୟରେ ତାଙ୍କୁ ସ୍ବାଗତ କରିଥିବା ଉପ ପ୍ରଧାନମନ୍ତ୍ରୀଙ୍କ ଠାରୁ ମଣ୍ଟୁରୋବ୍ ହେଉଛନ୍ତି ବରିଷ୍ଠ। ମଣ୍ଟୁରୋବ ମୋଦୀଙ୍କୁ ସ୍ବାଗତ କରି ହୋଟେଲ ପର୍ଯ୍ୟନ୍ତ ନେଇଯାଇଥିଲେ। ମୋଦୀ ମସ୍କୋର କାର୍ଲଟନ ହୋଟେଲରେ ପହଞ୍ଚିବାପରେ ତାଙ୍କୁ ସେଠାରେ ଅପେକ୍ଷାରତ ଭାରତୀୟ ବଂଶୋଦ୍ଭବମାନେ ଭବ୍ୟ ସ୍ବାଗତ କରିଥିଲେ। ମୋଦୀ ସେମାନଙ୍କ ସହ କିଛି ସମୟ କଥା ହୋଇଥିଲେ। ଭାରତୀୟ ବଂଶୋଦ୍ଭବଙ୍କ ଭବ୍ୟ ସ୍ବାଗତ ପାଇଁ ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।