ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କିଛି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ ଯାହା କହିଛନ୍ତି ତାହା ଆପତ୍ତିଜନକ ବୋଲି ବିଜେପି କହିବା ସହ କ୍ଷମାମାଗିବାକୁ ଦାବି କରିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲଙ୍କୁ ହିନ୍ଦୁଙ୍କ ଉପରେ ଏପରି କହିବା ଦୁର୍ଭାଗ୍ୟଜନକ,ଗମ୍ଭୀର ଅଭିଯୋଗ ବୋଲି ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ସରକାରଙ୍କୁ ଯେତିକି ଟାର୍ଗେଟ କରିଥିଲେ ତାହାକୁ ଅଧିକ ମୋଦିଙ୍କୁ କଟାକ୍ଷ କରିଥିଲେ । ରାହୁଲ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଘେରିଥିଲେ। ବିରୋଧୀ ଦଳ ନେତା ହିସାବରେ ମଣିପୁର ଦଙ୍ଗା ଠାରୁ ଆରମ୍ଭ କରି ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇଥିଲେ । ଅଗ୍ନିବୀର ଯୋଜନା ଆଦି ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ବିରୋଧ କରିଥିଲେ। ଭଗବାନ ଶିବ, ନାନକ ଏବଂ ଅନ୍ୟ ମହାପୁରୁଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ ବୋଲାଉଥିବା ବ୍ୟକ୍ତିମାନେ ହିଂସ୍ର ଆଚରଣ କରୁଥିବା କହିଥିଲେ । ବିଜେପି ଏବଂ ଆରଏସ୍ଏସ୍କୁ ତୀବ୍ର ସମାଲୋଚନା କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ତୀବ୍ର ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ। ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛିଡ଼ା ହୋଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।
ରାହୁଲ କହିଥିଲେ ନିଜକୁ ହିନ୍ଦୁ କହୁଥିବା କେତେକ ବ୍ୟକ୍ତି ଓ ସଂଗଠନ କେବଳ ହିଂସା କରୁଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଧାନମନ୍ତ୍ରୀ ଛିଡ଼ା ହୋଇ ସମସ୍ତ ହିନ୍ଦୁ ସମୁଦାୟକୁ ହିଂସ୍ର କହିବା ଏକ ଗମ୍ଭୀର ଅଭିଯୋଗ ବୋଲି ମନ୍ତବ୍ୟ ଦେଇଥିଲେ।
ଧର୍ମ ଓ ସମ୍ବିଧାନ ସଂପର୍କରେ ମନ୍ତବ୍ୟକୁ ନେଇ ରାହୁଲଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଗକୁ ଆସିଥିଲେ। ରାହୁଲ ହିନ୍ଦୁ ଧର୍ମକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାହୁଲ ତାଙ୍କ ଉଦ୍ବୋଧନରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ବାଚସ୍ପତି ମୋଦିଙ୍କୁ ଯେପରି ସମ୍ମାନ ଦେଉଛନ୍ତି ରାହୁଲଙ୍କୁ ସେପରି ଦେଉନଥିବା କହିଥିଲେ ।