ନୂଆ ଆଇନରେ କଣ ରହିଛି ଆସନ୍ତୁ ସଂକ୍ଷେପରେ ଜାଣିବା । ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ନୂଆ ଆଇନରେ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯାଇଥିବା ବେଳେ ଏହାକୁ ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ ଭାବନାରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଜିରୋ ଏଫଆଇଆର, ପୁଲିସ ଅଭିଯୋଗର ଅନଲାଇନ ପଂଜୀକରଣ, ଏସଏମଏସ ଭଳି ବୈଦୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଅପରାଧ ପାଇଁ ଅପରାଧ ଦୃଶ୍ୟର ବାଧ୍ୟତାମୂଳକ ଭିଡ଼ିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଇନ ବ୍ୟବସ୍ଥାରେ ପ୍ରତ୍ୟେକ ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ. ମହିଳା ଓ ଶିଶୁ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର ଏବଂ ଡିଜିଟାଲ ପ୍ରମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଆଇପିସିରେ ୫୧୧ଟି ଧାରା ଥିବାବେଳେ ଏଥିରେ ୩୫୮ଟି ଧାରା ରହିଛି । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଅପରାଧର ଦଣ୍ଡବିଧାନକୁ ନେଇ ଏହି ନୂଆ ଆଇନରେ ନୂଆ ନିୟମ ସାମିଲ୍ କରାଯାଇଛି । ଯେପରିକି ଭିଡ଼ ହିଂସା, ନାବାଳିକାଙ୍କୁ ଗଣଦୁଷ୍କର୍ମ, ସଂଘଠିତ ଅପରାଧ, ଛିନତାଇ, ଆତଙ୍କବାଦ କାର୍ଯ୍ୟକଳାପ, ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କକୁ ନେଇ ନୂଆ ନିୟମ ସାମିଲ ହୋଇଛି । ଏହି ଆଇନରେ ଯୌନ ଅପରାଧରେ କଠୋର ପଦକ୍ଷେପ ନିଆଯାଇଛି ।
ଯେଉଁମାନେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣାମୂଳକ ଯୌନ ସମ୍ପର୍କ ସ୍ଥାପନ କରିବେ, ସେମାନଙ୍କୁ ଜେଲ ଦଣ୍ଡ ଏବଂ ଜରିମାନା ଦେବାକୁ ଆଇନରେ ବ୍ୟବସ୍ଥା କରାଯାଇଛି । ଏହି ନୂଆ ଆଇନରେ ନିଜର ପରିଚୟ ଲୁଚାଇ କିମ୍ବା ବିବାହ ସମ୍ବନ୍ଧୀୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ସାଂପ୍ରତିକ ପରିସ୍ଥିତିରେ ସଂଗଠିତ ଅପରାଧ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଯେପରିକି ଅପହରଣ, ଡକାୟତି, ଗାଡି ଚୋରି, ଜବରଦଖଲ, ଜମି ଜବରଦଖଲ, ଚୁକ୍ତିଭିତ୍ତିକ ହତ୍ୟା, ଅର୍ଥନୈତିକ ଅପରାଧ, ସାଇବର ଅପରାଧ ଏବଂ ବ୍ୟକ୍ତି, ଡ୍ରଗ୍ସ ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରାଚାଲାଣ ଆଦି ବହୁ ସଂଖ୍ୟାରେ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହି ସବୁ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ପାଇଁ ଆଜୀବନ କାରାଦଣ୍ଡରୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି ।
ସେହିପରି ଆତଙ୍କବାଦକୁ ଏହି ଆଇନରେ ବର୍ଣ୍ଣନା କରାଯାଇଛି । ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କିମ୍ବା ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା କାର୍ଯ୍ୟକୁ ଆତଙ୍କବାଦ ବୋଲି ବିବେଚନା କରାଯାଇଛି । ଏଭଳି କାର୍ଯ୍ୟ କରୁଥିବା ଦୋଷୀଙ୍କ ପାଇଁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ସହ ଜରିମାନା ଦେବାର ବ୍ୟବସ୍ଥା ରହିଛି । ଭିଡ଼ ହିଂସା ଘଟଣା ପରି ୫ଜଣ କିମ୍ବା ତାଠାରୁ ଅଧିକ ବ୍ୟକ୍ତି ଜାତି କିମ୍ବା ସଂପ୍ରଦାୟ ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଏବଂ ଅନ୍ୟ କୌଣସି ସମାନ ଆଧାରରେ ହତ୍ୟା କରନ୍ତି ତେବେ ସେହି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଜରିମାନା ମଧ୍ୟ ଦେବାକୁ ପଡିବ ।