ବାଂଲାଦେଶରେ ନୂତନ ଭାବେ ଗଠିତ ଅନ୍ତରୀଣ ସରକାରରେ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି । ଏହି ପଡ଼ୋଶୀ ରାଷ୍ଟ୍ରରେ ଶାନ୍ତି ଫେରିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକର ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦୀ ମଧ୍ୟ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ନୂତନ ଦାୟିତ୍ୱ ଗ୍ରହଣ ପାଇଁ ପ୍ରଫେସର ମହମ୍ମଦ ୟୁନୁସଙ୍କୁ ମୋର ଶୁଭେଚ୍ଛା । ଦେଶରେ ଶୀଘ୍ର ଶାନ୍ତି ଫେରିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ଆଶା କରୁଛି । ଶାନ୍ତି, ନିରାପତ୍ତା ଓ ବିକାଶ ପାଇଁ ଉଭୟ ଦେଶର ଜନସାଧାରଣଙ୍କ ଆକାାଂକ୍ଷା ପୂରଣ କରିବା ଦିଗରେ ବାଂଲାଦେଶ ସହ ମିଳିତ ଭାବେ କାମ କରିବାକୁ ଭାରତ ପ୍ରତିବଦ୍ଧ ।” ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ବିରୋଧ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବେଳେ ଏବେ ଆଶାର କିରଣ ଦେଖାଦେଇଛି। ଷଡଯନ୍ତ୍ରକାରୀଙ୍କ ଉପରେ କଟକଣା ଲଗାଇବାକୁ ନୂତନ ଶପଥ ଗ୍ରହଣ କରିଥିବା ପ୍ରଫେସର ମହମ୍ମଦ ୟୁନୁସ କହିବା ପରେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ବାଂଲାଦେଶୀମାନେ। ଷଡଯନ୍ତ୍ରକାରୀମାନେ ଛାତ୍ର-ଜନତାଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରି ଦେଶରେ ଅରାଜକତା ଏବଂ ଭୟର ବାତାବରଣ ଉପୁଜାଇଛନ୍ତି। ଅରାଜକତା ଆମର ଶତ୍ରୁ, ଏବଂ ଏହାକୁ ଶୀଘ୍ର ପରାସ୍ତ କରିବାକୁ ହେବ।” ଏହା କହିଛନ୍ତି ୟୁନୁଷ
ହିଂସାଗ୍ରସ୍ତ ବାଂଲାଦେଶରେ ଗତକାଲି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଗତକାଲି ଶପଥ ନେଇଛନ୍ତି। ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଗତକାଲି ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି।