ମହାରାଷ୍ଟ୍ର ରେ ଏଥର କିଏ ଗଢ଼ିବ ସରକାର । ଝାଡ଼ଖଣ୍ଡ ବିଧାନସଭାରେ ପୁଣି ଜେଏମଏମ ମାରିବ କି ବାଜି? ଏଭଳି ଅନେକ ପ୍ରଶ୍ନ ଭିତରେ ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନର । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମହରାଷ୍ଟ୍ରରେ ନଭେମ୍ବର ୨୦ରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୧୩ ଏବଂ ନଭେମ୍ବର ୨୦ରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବ । ତେଣୁ କହିବାକୁ ଗଲେ ଦୁଇଟି ରାଜ୍ୟରେ ନଭେମ୍ବର ୨୩ରେ ଭୋଟ ଗଣତି ହେବ । ଏବେ ମହାରାଷ୍ଟ୍ରରେ ଶିବସେନା ବିଜେପି ମେଂଟ ସରକାର ଚାଲିଛି । ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ସରକାର ଚଳାଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସ୍ କନ୍ଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ।
ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ। ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଜାନୁଆରୀ ୫ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ।