ଆଜି ମହାରାଷ୍ଟ୍ର ମତଦାନ ଚାଲିଛି। ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ସକାଳୁ ଆରମ୍ଭ ହୋଇଛି। ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ । ଏଥର ପ୍ରଚାର ବେଳେ ମହାୟୁତି ଓ ମହା ଅଗାଡ଼ି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।
ବିରୋଧୀ ମହାବିକାଶ ଅଘାଡି (ଏମ୍ଭିଏ) ଏବଂ ଶାସକ ମହାୟୁତି ମେଣ୍ଟ ପାଇଁ କରବା ମର ସ୍ଥିତି ହୋଇଛି । ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ।
ଏମ୍ଭିଏ ମେଣ୍ଟ ଜାତିଗତ ଜନଗଣନାକୁ ଗୁରୁତ୍ବ ଦେଇଛି । ରାଜ୍ୟ ଛାଡି ଗୁଜରାଟକୁ ଯାଇଥିବା ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦର୍ଶାଇଛି। ଶାସକ ମହାୟୁତି ମହିଳାଙ୍କ ପାଇଁ ମାସିକ ଭତ୍ତା ଓ ଲଡକୀ ବହିନ ଯୋଜନା ଦ୍ବାରା ପୁଣି ସରକାର ଗଠନ କରିବାକୁ ଦାବି ରଖିଛି ।
ବିଜେପି ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହୈ ତୋ ସେଫ୍ ହୈ’ ଭଳି ସ୍ଲୋଗାନ୍ ଚର୍ଚାର ବିଷୟ ହୋଇଛି । ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି।
ଏମ୍ଭିଏ ପାଇଁ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଏବଂ ଏନ୍ସିପି (ଏସପି) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି। ମହାରାଷ୍ଟ୍ରରେ ସମୁଦାୟ ୯୭.୦୨ ନିୟୁତ ମତଦାତା ଅଛନ୍ତି।
ଗୋଟିଏ ପଟରେ ଉଦ୍ଧବ ଠାକରେ, ଶରଦ ପାୱାର ଓ କଂଗ୍ରେସ। ଆରପଟେ ବିିଜେପି, ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ଅଜିତ ପାୱାର ନିର୍ବାଚନରେ ଜିତିବା ପାଇଁ ରଣନୀତି କରିଛନ୍ତି ।
ଏଥର ନିର୍ବାଚନ ରୋମାଞ୍ଚକର ହେବାକୁ ଯାଉଛି । ଏହି ନିର୍ବାନଚ ବିଶେଷ କରି ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ନ ଜିତିଲେ ଅସଲି ଶିବସେନାର ଟ୍ୟାଗ୍ ନେଇଯିବେ ଏକନାଥ ସିନ୍ଦେ। ସେହିପରି ଅଜିତ ପାୱାର ଗୋଷ୍ଠୀ ନ ଜିତିଲେ ହୁଏତ, ଅଜିତଙ୍କ ରାଜନୈତିକ ଭବିଷ୍ୟତ ଉପରେ ଉଠିବ ପ୍ରଶ୍ନ।
ରାଜ୍ୟର ଭୋଟର ୯ କୋଟି ୬୩ ଲକ୍ଷ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୪ କୋଟି ୯୭ ଲକ୍ଷ । ମହିଳା ଭୋଟର ଅଛନ୍ତି ୪ କୋଟି ୬୬ ଲକ୍ଷ। ଯୁବ ଭୋଟରଙ୍କ ସଂଖ୍ୟା ୧ କୋଟି ୮୫ ଲକ୍ଷ ରହିଛନ୍ତି । ମୋଟ ପୋଲିଂ ଷ୍ଟେସନ ଅଛି ୧ ଲକ୍ଷ ୧୮୬।
ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ବିଧାୟକ ସଂଖ୍ୟା ୨୦୨ ରହିଛି । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି। ସେହିପରି ମହାବିକାଶ ଅଘାଡିର ବିଧାୟକ ସଂଖ୍ୟା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ନିଜ ନିଜର ପତିଆରା ପାଇଁ ଏଥର ମଇଦାନରେ ବେଶ ଝାଳ ବୁହାଇଛନ୍ତି ।