କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜୋର ଧରୁଛି ରାଜନୀତି । କାହିଁକି ଫେଲ ମାରିଲା ସୁରକ୍ଷା ବ୍ୟବସ୍ଥା । କିପରି ଘଟିଲା ଏତେବଡ଼ ଅଘଟଣ । ଏଥିପାଇଁ କାହାକୁ ଦାୟୀ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ତେ ଦେଉଛନ୍ତି ଦୋଷ । ଆର୍ଜି କର ହସ୍ପିଟାଲରୁ ହଟିଛି ପୁଲିସ, ଦାୟିତ୍ବ ନେଇଛି ସିଆଇଏସ୍ଏଫ୍ । ଏହି ଘଟଣାକୁ ଦୁଇସପ୍ତାହ ଅତିକ୍ରାନ୍ତ ହେବାକୁ ଯାଉଛି । ଅମାନବୀୟ ଘଟଣାକୁ ନେଇ କୋଲକତା ସହ ସାରା ଦେଶରେ ଉଦବେଗ ଓ ଅଶାନ୍ତି, ଆନ୍ଦୋଳନ ଦେଖାଦେଇଛି । ଡାକ୍ତରଙ୍କ ଆନ୍ଦୋଳନ ରୋଗୀ ଚିକିତ୍ସା କ୍ଷେତ୍ରକୁ ଯଥେଷ୍ଟ ଭାବେ ପ୍ରଭାବିତ କରିଛି। ମହିଳା ଡାକ୍ତରଙ୍କ ପରିବାର କେବଳ ନ୍ୟାୟ ଚାହୁଁନାହାଁନ୍ତି ସମସ୍ତେ ଏନେଇ ସୁରକ୍ଷା ଚାହୁଁଛନ୍ତି ।
ତେବେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ମମତାଙ୍କ ସରକାରକୁ ଫଟକାର ଲଗାଇଛନ୍ତି । ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସେବାକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ଟାସ୍କଫୋର୍ସ ଗଠନ କରି ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି । ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବଡ଼ ଘଟଣା କହିଛନ୍ତି । କୋଲକାତା ପୁଲିସ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଦୋଷ ଦେଇଛନ୍ତି । ଏହା ସହ ହସ୍ପିଟାଲର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) ହାତରେ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହସ୍ପିଟାଲରେ ଡାକ୍ତର ଏବଂ ମହିଳା କର୍ମୀଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ଜାତୀୟ ସ୍ତରରେ ଏକ ସୁରକ୍ଷା ବ୍ୟବସ୍ଥା (ନ୍ୟାସନାଲ ପ୍ରୋଟୋକଲ) ଗ୍ରହଣ କରାଯିବା ସହିତ ପ୍ରଶିକ୍ଷଣକାରୀ ଡାକ୍ତର, ରେସିଡେଣ୍ଟ ଏବଂ ନନ୍ ରେସିଡେଣ୍ଟ ଡାକ୍ତରମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କ ପାଇଁ ଯାନ ବ୍ୟବସ୍ଥା କରାଯିବ।ଏଥିସହିତ ପ୍ରତି ତିନି ମାସରେ ପ୍ରତ୍ୟେକ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଡିଟ୍ କରାଯିବ ବୋଲି ସୁପ୍ରିମକୋର୍ଟ ଭରସା ଦେଇଛନ୍ତି।