କାର୍ଗିଲ ବିଜୟ ଦିବସ ଏକ ସ୍ମରଣୀୟ ତଥା ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାର୍ଗିଲ ଯାଇ ସେଠାରେ ସେନାବାହିନୀକୁ ପ୍ରଶଂସା କରିଛନ୍ତି ମୋଦି । ୨୫ ବର୍ଷ ତଳେ କାର୍ଗିଲ ଯୁଦ୍ଧଭୂମିରେ ପାକିସ୍ତାନ ସେନା କୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ । ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬ ତାରିଖ।କାର୍ଗିଲ ଯୁଦ୍ଧର ହେଲା ଅନ୍ତ। କାର୍ଗିଲ ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲା ଭାରତୀୟ ସେନା । ଏହି ଯୁଦ୍ଧରେ ସହିଦ ହୋଇଥିଲେ ଭାରତୀୟ ସେନାର ଅନେକ ବୀର ଯବାନ। ସହିଦ ବୀର ଯବାନଙ୍କ ଦେଶପ୍ରତି ସମର୍ପିତ ମନୋଭାବକୁ ମନେ ପକାଇ ପ୍ରତିବର୍ଷ ପାଳନ ହୋଇଆସୁଛି କାର୍ଗିଲ ବିଜୟ ଦିବସ । ଚଳିତବର୍ଷ କାର୍ଗିଲ ବିଜୟର ୨୫ତମ ପୂର୍ତ୍ତି ଉତ୍ସବ ପାଳନ କରୁଛି ସାରା ଭାରତ। ଏଥିପାଇଁ ଦେଶର କୋଣଅଣୁକୋଣରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ ।