ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ନିଜକୁ ସେଲିବ୍ରେଟି କହି ସମ୍ମାନ ଦାବି କଲେ । କିନ୍ତୁ ତାଙ୍କ ଉପରେ ରାଗିଲେ ଅଧ୍ୟକ୍ଷ ଜଗଦୀପ ଧନଖଡ। ନିୟମ ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି କହିଲେ ଧନଖଡ଼ । ପୂର୍ବରୁ ଜୟା ବଚ୍ଚନ ତାଙ୍କ ନାମ ସହ କାହିଁକି ସ୍ୱାମୀ ଅମିତାଭଙ୍କ ନାଁ ଯୋଡ଼ି କହିବେ ବୋଲି ପ୍ରଶ୍ନ କରିଥିଲେ। ମହିଳାଙ୍କ ପରିଚୟ ନିଜେ ହୋଇପାରିବେ ବୋଲି ସେ କହିଥିଲେ, ନାରୀଟିଏ ସ୍ୱାମୀ ନାଁରେ ପରିଚିତ ହେବାକୁ ସେ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ଚଳିତ ମୌସୁମୀ ଅଧିବେଶରେ ନିଜ ଉପସ୍ଥାପନ ସମୟରେ କହିଥିଲେ, “ମୁଁ ଜୟା ଅମିତାଭ ବଚ୍ଚନ କହୁଛି…।” ଏହା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ସମେତ ଅନ୍ୟ ସାଂସଦମାନେ ଖୁବ୍ ଜୋରରେ ହସିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ୟୁଜରମାନେ ଜୟାଙ୍କୁ ଟ୍ରୋଲ କରିଥିଲେ । ତେବେ ରାଜ୍ୟସଭାରେ ସମାନ ପ୍ରସଙ୍ଗ ଉଠାଇ ଜୟା ବଚ୍ଚନ ତାଙ୍କ ନାମ, ତାଙ୍କ ସ୍ୱାମୀଙ୍କ ନାମ ଏବଂ ସ୍ୱାମୀଙ୍କ ଉପଲବ୍ଧିକୁ ନେଇ ଖୁବ୍ ଗର୍ବିତ ବୋଲି କହିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ହସି ହସି ଏହାର ଜବାବ ରଖି କହିଥିଲେ, “ଅମିତାଭ ବଚ୍ଚନଙ୍କ ଉପଲବ୍ଧିରେ ସମଗ୍ର ଦେଶ ଗର୍ବିତ। ନିର୍ବାଚନ ପ୍ରାର୍ଥ୍ୱୀତ୍ୱ ସମୟରେ ଯେଉଁ ନାମ ରହିଥାଏ, ସେହି ଅନୁସାରେ ଏଠାରେ ଉଚ୍ଚାରଣ କରାଯାଏ। ଆପଣ ଚାହିଁଲେ ଏଥିରେ ପରିବର୍ତ୍ତନ କରିପାରିବେ, ଏଥିପାଇଁ ପ୍ରାବଧାନ ମଧ୍ୟ ରହିଛି।”
କିନ୍ତୁ ଜୟା କହିଥିଲେ ସାର୍, ମୁଁ ଜୟା ଅମିତାଭ ବଚ୍ଚନ, କହିବାକୁ ଚାହେଁ… ମୁଁ ଜଣେ ଅଭିନେତ୍ରୀ। ମୋତେ ଅଙ୍ଗଭଙ୍ଗୀ ଏବଂ ମୁଖ ଭଙ୍ଗୀ ଭଲ ଭାବେ ବୁଝାପଡ଼େ। କ୍ଷମା କରିବେ, ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ। ଆମେ ସମସ୍ତେ ସହକର୍ମୀ, ସାର୍ ଆପଣ ଅଧ୍ୟକ୍ଷ ଆସନରେ ବସିଥାଇ ପାରନ୍ତି, କିନ୍ତୁ ମୋର ସ୍କୁଲ୍ ଯିବା ସମୟ କଥା ମନେ ପଡିଯାଉଛି । ଏ କଥା ଶୁଣି ଧନଖଡ ପ୍ରବଳ ରାଗିଥିବା ଦେଖିବାକୁ ମିଳିଥିଲା । “ଆପଣ ବସନ୍ତୁ… ଆପଣ ବସନ୍ତୁ…” କହିଥିଲେ ଧନଖଡ଼ । ଜୟାଜୀ ଆପଣ ବଡ଼ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ଆପଣ ଜାଣନ୍ତି ଅଭିନେତା ନିର୍ଦ୍ଦେଶକଙ୍କ ଅଧୀନରେ ଥାଆନ୍ତି…? ମୁଁ ଏହି ଆସନରୁ ବସି ଯାହା ଦେଖିଛି ତାହା ଆପଣ ଦେଖି ନାହାଁନ୍ତି। ମୁଁ ପୁଣି ଥରେ କହିବାକୁ ଚାହେଁ ନାହିଁ, ମୁଁ ମଧ୍ୟ ବିଦ୍ୟାଳୟ ଚଲାଇବାକୁ ଚାହୁଁ ନାହିଁ। ମୁଁ ଜଣେ ବ୍ୟକ୍ତି, ଯିଏ ସମସ୍ତଙ୍କୁ ବାଟ ଛାଡ଼ିଛି… ଆପଣ ମୋ ସ୍ୱର କଥା କହୁଛନ୍ତି?” ଆପଣ ସେଲିବ୍ରିଟି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କୁ ଗୃହର ନିୟମକୁ ବୁଝିବାକୁ ପଡ଼ିବ ।