ଇରାନ ଓ ଇସ୍ରାଏଲ ନ ଯିବା ଲାଗି ଭାରତୀୟଙ୍କୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପରାମର୍ଶ ଦେଇଛି। କାରଣ ଯୁଦ୍ଧ ଭୟ ରହୁଛି । ଆଜି ଆକ୍ରମଣ କରିପାରେ ବୋଲି ଚର୍ଚା ହେଉଛି । ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ଯଥେଷ୍ଟ ସତର୍କ ହେବା ଲାଗି ବି ପରାମର୍ଶ ଦିଆଯାଇଛି। ଭାରତ ପରି ଫ୍ରାନସ ମଧ୍ଯ ନିଜ ଦେଶର ନାଗରିକଙ୍କ ଉଦ୍ଦେଶ୍ଯରେ ଗାଇଡଲାଇନ ଜାରି କରିଛି। ଯୁଦ୍ଧ ଚାଲିଥିବା ଅଞ୍ଚଳକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତେହେରାନକୁ ବିମାନ ଯିବା ଆସିବା ଉପରେ ରୋକ ଲଗାଇଛି ଜର୍ମାନ ଏୟାରଲାଇନ ଲୁଫାନସା। ସେପଟେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲର ଜୋରଦାର ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସିରିଆର ଡାମାସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଦୁଇ ଜଣ ତୁଙ୍ଗ କମାଣ୍ଡରଙ୍କ ମୃତ୍ଯୁ ପରେ ଉତକ୍ଷିପ୍ତ ହୋଇଥିଲା ଇରାନ। ଏହାରି ଭିତରେ ଇସ୍ରାଏଲ-ଲେବାନନ ସୀମାରେ ୪୦ରୁ ଅଧିକ ରକେଟ ଓ ମିସାଇଲ ମାଡ଼ ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଅଧିକାଂଶ ରକେଟକୁ ମଝି ଆକାଶରୁ ଧୂଳିସାତ କରିବାରେ ସଫଳ ହୋଇଛି ଆଇଡିଏଫ। ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ଯ ଆକ୍ରମଣ ଲାଗି ଆମେରିକା ଆଲର୍ଟ ଜାରି କରିଛି।