ଗତ ଦଶନ୍ଧିରେ ମହିଳାମାନେ ପାଇଲଟ ହେବାକୁ ଅଧିକ ପସନ୍ଦ କରୁଛନ୍ତି । ବିଶେଷ କରି ବେସାମରିକ ବିମାନ ଚଳାଚଳ ଉପରେ ମହିଳାମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ମହିଳାମାନଙ୍କ ଅଧିକ ପସନ୍ଦ ବିମାନ ପାଇଲଟ ହେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦ୍ୱିତୀୟ ଏସିଆ ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବସମ୍ମତିକ୍ରମେ ଦିଲ୍ଲୀ ଘୋଷଣାନାମା ପାରିତ କରିବା ବେଳେ ଏହା କହିଛନ୍ତି । ସମ୍ମିଳନୀରେ ୨୯ଟି ଦେଶର ମନ୍ତ୍ରୀ ଓ ନୀତି ନିର୍ମାତା ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ସମେତ ୮ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ବେସାମରିକ ବିମାନ ଚଳାଚଳ ନେତୃବୃନ୍ଦଙ୍କ ସହ ଏହି କ୍ଷେତ୍ରରେ ଭାରତ କରିଥିବା ବୈଷୟିକ ଏବଂ ଭିତ୍ତିଭୂମି ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ମହିଳାଙ୍କ ପାଇଁ ଏହି କ୍ଷେତ୍ରକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ଭାରତରେ ୧୫% ପାଇଲଟ୍ ହେଉଛନ୍ତି ମହିଳା, ଯାହାକି ବିଶ୍ୱ ହାରାହାରି ୫% ଠାରୁ ଅଧିକ ଏବଂ ଆମେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ପାଇଁ ମାର୍ଗଦର୍ଶିକ ଜାରି କରିଛୁ କହିଥିଲେ ପ୍ରଧାନମନ୍ତ୍ରୀ ।
ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ବିମାନ ଚଳାଚଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାଧାରଣ ଲୋକ ଏବେ ଯାତ୍ରା କରୁଛି । ସାଧାରଣ ପରିବାରର ଯୁବକ ଯୁବତୀମାନେ ପାଇଲଟ ହେଉଛନ୍ତି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ମୋଦି କହିଥିଲେ ଯେ ଏହି କ୍ଷେତ୍ର ମାଧ୍ୟମରେ ଲୋକ, ସଂସ୍କୃତି ଏବଂ ସମୃଦ୍ଧିକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ସମଗ୍ର ଏସିଆରେ ଭଗବାନ ବୁଦ୍ଧଙ୍କ ସହ ଜଡିତ ସମସ୍ତ ପବିତ୍ର ସ୍ଥାନଗୁଡ଼ିକୁ ସଂଯୋଗ କରିପାରିବା ଏବଂ ଏକ ‘ଅନ୍ତର୍ଜାତୀୟ ବୌଦ୍ଧ ସର୍କିଟ୍’ ସୃଷ୍ଟି କରିପାରିବା, ତେବେ ଏହା ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଯାତ୍ରୀ, ସଂପୃକ୍ତ ଦେଶ ଏବଂ ସେମାନଙ୍କ ର ଅର୍ଥବ୍ୟବସ୍ଥାକୁ ମଧ୍ୟ ଉପକୃତ କରିପାରିବ ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଥିଲେ, ‘ଏକ ପେଡ୍ ମା କେ ନାମ’ ଅଭିଯାନ ନେଇଛି ବିଭାଗ । ଆଗାମୀ ଦିନରେ ଏହାକୁ ପ୍ରଚାର ପ୍ରସାର କରାଯିବ ।