ଭାରତ ଏବେ ବୃହତ ଅର୍ଥଶକ୍ତିରେ ପରିଣତ ହେବାରେ ଲାଗିଛି । ଦିନ ଥିଲା ସରକାର ଚଳାଇବା ପାଇଁ ସୁନା ବିଦେଶରେ ବନ୍ଧକ ରଖିବାକୁ ପଡ଼ୁଥିଲା । ବର୍ଷ ବର୍ଷ ଧରି ବିଦେଶରେ ବନ୍ଧକ ରହିଥିବା ସୁନାକୁ ମୋଦି ସରକାର ଦେଶକୁ ଫେରାଇ ଆଣୁଛନ୍ତି । ଖବର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ୍ ସୁନାକୁ ଫେରାଇ ଆଣିଛି। ବ୍ରିଟେନରୁ ୧୦୦ ଟନ୍ ବା ୧ ଲକ୍ଷ କିଲୋଗ୍ରାମ୍ ସୁନା ଭାରତ ଫେରିଆସିଥିବା ଜଣାପଡିଛି । ଏହି ସୁନା ୧୯୯୧ ମସିହାରେ ବନ୍ଧକ ରଖାଯାଇଥିଲା ବ୍ରିଟେନରେ । ସେତେବେଳେ ଦେଶର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା । ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ ସାମିଲ କରାଯାଇଛି । ଜାଣିରଖିବା ଉଚିତ୍ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧାରୁ ଅଧିକ ସୁନା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ ପାଖରେ ରହିଛି। ଆରବିଆଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ ଭାବରେ ୮୨୨.୧୦ ଟନ୍ ସୁନା ରହିଛି । ଯାହାକି ଗତବର୍ଷ ଏହି ସମୟରେ ୭୯୪.୬୩ ଟନ୍ ଥିଲା। ୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ବନ୍ଧକ ରଖାଯାଇଥିଲା । ୧୯୯୧ ମସିହା ଜୁଲାଇ ୧ରୁ ୧୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିପାରିଥିଲା ।