ନୂଆଦିଲ୍ଲୀ: କାରରେ ନାଲିବତୀ ଲଗାଇ ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଶିକ୍ଷାନବିସ ଅଧିକାରୀ ପୂଜା ଖେଡକରଙ୍କ ଗାଡ଼ିର ୨୧ଟି ଚାଲାଣ କଟିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏସବୁ ଚାଲାଣ କଟାଯାଇଛି, ହେଲେ ସେ କୌଣସି ଚାଲାଣର ଜରିମାନା ଅର୍ଥ ପଇଠ କରି ନ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି।
ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମିଥ୍ୟା ସାର୍ଟିଫିକେଟ ସହ ବିଳାସମୟ ଜୀବନ ବିତାଉଥିବା ପୂଜାଙ୍କୁ ନେଇ ସୋସିଆଲ ମିଡିଆରେ ଝଡ ଉଠିଛି । ନିଜ ଅଡି କାରରେ ନାଲିବତୀ ଲଗାଇବାକୁ ନେଇ ସେ ଟ୍ରୋଲ ହୋଇଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ପୂଜା ଖେଡକର ଅନ୍ୟ ଜଣେ ସହକର୍ମୀଙ୍କ କାର୍ଯ୍ୟାଳୟ କୋଠରି ମାଡ଼ି ବସିଥିବା ନେଇ ଅଭିଯୋଗ ହୋଇଛି। ଏହା ପରେ ପୂଜାଙ୍କର ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି। କୋଟିପତି ପରିବାରର ହୋଇ ବି ସେ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) କୋଟା ଉପଭୋଗ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ ରହିଥିବା କୋଟାରେ ଆଇଏଏସ ଚାକିରି ପାଇଛନ୍ତି ପୂଜା। ତେବେ ଦ୍ରୁତଗତିରେ ଗାଡ଼ି ଚାଳନା କରିବା, ଟ୍ରାଫିକ ସିଗନାଲ ନ ମାନିବା, ପୁଲିସ ଗାଡ଼ି ଅଟକାଇବା ସତ୍ବେ ନ ରହିବା ଭଳି ଅଭିଯୋଗରେ ଉକ୍ତ ଗାଡ଼ି ନାମରେ ଚାଲାଣ କଟିଛି। ଅନ୍ୟପଟେ ଉକ୍ତ ଅଡି କାରକୁ ଏହି ଅଧିକାରୀ ଜଣକ ବ୍ୟବହାର କରୁଥିବାବେଳେ ଗାଡ଼ିଟି ଥର୍ମୋଭେରିଟା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିବାରୁ ଜାତୀୟ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଛି ।