ଭାରତୀୟ ରାଜନୀତିରେ ନେହରୁ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ତାଙ୍କ ନାମ ନଥିବାରୁ କଂଗ୍ରେସ ଚିହିଁକି ଉଠିଛି । ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଜାଣିଶୁଣି ଇତିହାସରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଅଭିଯୋଗ କରିଛି । ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଭାଷଣରେ ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ନଥିବା ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆପତ୍ତି ଉଠାଇଛନ୍ତି । ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଆନ୍ଦୋଳନର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ୱାଧୀନତା ଆନ୍ଦୋଳନର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମ ଉଲ୍ଲେଖ ନଥିଲା । ରମେଶ ଅଭିଯୋଗ କରିଛନ୍ତି ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମକୁ ଇତିହାସରୁ ହଟାଇବା ପାଇଁ ବିଜେପି ସରକାର ଜାଣିଶୁଣି ଏପରି କରିଛନ୍ତି ।
କଂଗ୍ରେସର ମହାସଚିବ ଜୟରାମ ରମେଶ ବିଜେପି ଉପରେ ବର୍ଷିଛନ୍ତି । ସେ ମନେ ପକାଇ ଦେଇଛନ୍ତି ଯେ ୧୪ ଅଗଷ୍ଟ ୧୯୪୭ ମଧ୍ୟରାତ୍ରିରେ ଜବାହରଲାଲ ନେହେରୁ ସେଣ୍ଟ୍ରାଲ ହଲରେ ଭାଷଣ ଦେଇଥିଲେ। ସେ କହିଛନ୍ତି, ୧୫ ଅଗଷ୍ଟ ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଦେଶ ଉଦ୍ଦେଶ୍ୟରେ ନେହେରୁ ଭାଷଣ ଦେଇଥିଲେ। ଯେଉଁଥିରେ ସେ ନିଜକୁ’ ଭାରତୀୟ ଜନସାଧାରଣଙ୍କ ପ୍ରଥମ ସେବକ ‘ବୋଲି କହିବା ଆରମ୍ଭ କରିଥିଲେ। ଜାତି ପ୍ରତି ତାଙ୍କର ବାର୍ତ୍ତା ୧୫ ଅଗଷ୍ଟ ୧୯୪୭ ସକାଳେ ଖବରକାଗଜରେ ପ୍ରକାଶିତ ହୋଇଥିଲା।
ଜୟରାମ ରମେଶ କହିଛନ୍ତି ଦେଶ ସ୍ବାଧୀନ ହେବାପରେ ନେହରୁ ଦେଶ ପାଇଁ ଅନେକ ତ୍ୟାଗ କରିଛନ୍ତି , ଲୋକଙ୍କ ସେବା କରିଛନ୍ତି । ଦେଶ ଗଠନରେ ସେ ନିଜ ଜୀବନକୁ ବାଜି ଲଗାଇ ଦେଶସେବା କରିଥିବା ଜୟରାମ ରମେଶ କହିଛନ୍ତି । କଂଗ୍ରେସର ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି ।