ବଜେଟରେ ଆନ୍ଧ୍ରପ୍ରଦେଶ ଓ ବିହାର ପାଇଛି ଅଧିକ ଅନୁଦାନ । ସ୍ବତନ୍ତ୍ର ପାହ୍ୟା ଦାବି କରୁଥିବା ଏହି ଦୁଇଟି ରାଜ୍ୟକୁ ମୋଦି ସରକାର ଅଧିକ ଅନୁଦାନ ଦେଇ ଖୁସି କରାଇଛନ୍ତି । ଆଜି କେନ୍ଦ୍ରୀୟ ବଜେଟରେ ଏହି ଦୁଇଟି ରାଜ୍ୟ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ଆନ୍ଧ୍ରର ରାଜଧାନୀ ଏବଂ ଏହାର ଭିତ୍ତିଭୂମି ଦୃଢ଼ କରିବା ସହ ଏଥିପାଇଁ ମୋଟ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ଅମୃତସର-କୋଲକାତା ଶିଳ୍ପ କରିଡରରେ ଆମେ ବିହାରର ଗୟାରେ ଉଦ୍ୟୋଗିକ ବିକାଶକୁ ସମର୍ଥନ ଦେବୁ । ଏହା ପୂର୍ବକ୍ଷେତ୍ରର ବିକାଶକୁ ଗତି ଦେବ । ସଡକ ସମ୍ପର୍କ ପରିଯୋଜନାରେ ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସ୍, ବକ୍ସର-ଭାଗଲପୁର ରାଜମାର୍ଗ ଓ ବୋଧଗୟା-ରାଜଗୀର-ବୈଶାଳୀ-ଦରଭଙ୍ଗାର ବିକାଶ ପାଇଁ ମଧ୍ୟ ଆମେ ସହଯୋଗ କରିବୁ ।ଅନ୍ୟପଟେ ବିହାରରେ ଆଗାମୀ ଦିନରେ ନୂଆ ବିମାନ ବନ୍ଦର, ମେଡିକାଲ କଲେଜ ଓ ଖେଳ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।