ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଶନିବାର ସମଗ୍ର ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍-ୟୁଜି ପରୀକ୍ଷାରେ କେତେକ ଅନିୟମିତତା, କପି, ଜାଲିଆତି, ପ୍ରଶ୍ନପତ୍ର ପ୍ରଘଟ ଭଳି ଏକାଧିକ ଅଭିଯୋଗ ଆସିଛି। ଏହାକୁ ନେଇ ସାରା ଦେଶରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର ପାଇଁ ବିଭାଗୀୟ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ପରୀକ୍ଷା ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ବଦ୍ଧ ପରିକର। ଉପରୋକ୍ତ ମାମଲାରେ ଦୋଷୀଙ୍କ ପ୍ରତି କଠୋର ଦଣ୍ଡବିଧାନ ପାଇଁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।