ଝାଡ଼ଖଣ୍ଡରେ ଓଡ଼ିଶା ନେତାମାନେ ଘନ ଘନ ପ୍ରଚାର କରି ବିଜେପି ପାଇଁ ଭୋଟ ମାଗିଛନ୍ତି । ଆସନ୍ତାକାଲି ନିର୍ବାଚନ । ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୧୩ ତାରିଖରେ ୪୩ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର ଶେଷ ଦିନରେ ଏନ୍.ଡି.ଏ ଏବଂ ଇଣ୍ଡି ମେଣ୍ଟର ଷ୍ଟାର୍ ପ୍ରଚାରକ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।
ସେଥିପାଇଁ ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି। ଏଥର ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି ହେବାପାଇଁ ବିଜେପି କାର୍ଯ୍ୟ କରୁଛି । ଏଠାରେ କ୍ରୋମାଇଟଠୁ ଆରମ୍ଭ କରି ବକ୍ସାଇଟ୍, ଲୁହାପଥର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଏହି ତିନି ରାଜ୍ୟ ବିନା ବିକଶିତ ଭାରତ ଅସମ୍ଭବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ଛତିଶଗଡ଼ରେ ଗତ କଂଗ୍ରେସ ସରକାର ସମୟରେ ଖଣି ଲୁଟ୍ ହେଉଥିଲା। ଲୋକେ କଂଗ୍ରେସକୁ ପରାଜିତ କରିଛନ୍ତି । ଏବେ ଜେଏମଏମ ଖଣି ଲୁଟ କରୁଛି , ଯେପରି ଗତ ନିର୍ବାଚନରେ ଲୋକେ କଂଗ୍ରେସର ଏହି ଲୁଟ୍କୁ ପ୍ରଶ୍ରୟ ଦେଲେନାହିଁ। ଏଥର ଜେଏମଏମ ହାରିବ ବିଜେପି ସରକାରକୁ ଆସିବ କହିଥିଳେ ।
ସେମିତି ଓଡ଼ିଶାରେ ମଧ୍ୟ ଗତ ୨୪ ବର୍ଷର ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଝାଡ଼ଖଣ୍ଡର ପାଳି ଆସିଛି। ଏଠାକାର ଖଣି ଓ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଜେଏମ୍ଏମ୍ ସରକାରକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।
ଯୁବଗୋଷ୍ଠୀଙ୍କୁ ଜେଏମ୍ଏମ୍ ସରକାର ଧୋକା ଦେଇଛି। ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସରକାର ଆସିଲେ ଯୁବକଯୁବତୀଙ୍କୁ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ ଏବଂ ଆଦିବାସୀଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ।
କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓଡ଼ିଶାରେ ବିଜେପି ସରକାରର ସଫଳତା ବର୍ଣ୍ଣନା କରିଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।
ସଭାରେ ଷଢ଼େଇକଳାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଆ ଭାଷାଭାଷୀବହୁଳ ମୋଟ ୪୩ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ହେଉଛି।