ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଏବେ ବାଂଲାଦେଶରେ ନିଆଁ ଜଳୁଛି । ଦେଶରେ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ଆଜିଠୁ ସରକାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି । ଗତ କିଛି ଦିନ ଧରି ସେଠାରେ ସଂରକ୍ଷଣ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଦେଇଥିବା ବେଳେ କେତେକ ସ୍ଥାନରେ ଧନଜୀବନ ହାନି ଘଟିଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ବିକ୍ଷୋଭରେ ପ୍ରାଣ ହରାଇଥିବା ଛାତ୍ର ଓ ସାଧାରଣ ନାଗରିକଙ୍କ ପରିବାରଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ମଧ୍ୟ କହିଛନ୍ତି ଯେ କୋଟା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଆନ୍ଦୋଳନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନିରାଶ କରାଯିବ ନାହିଁ। ଅନ୍ୟପକ୍ଷରେ ସରକାରୀ ଚାକିରିରେ ସଂରକ୍ଷଣକୁ ଛାତ୍ରଗୋଷ୍ଠୀ ବିରୋଧ କରିବା ସହିତ ମେଧା ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ଦାବି କରୁଛନ୍ତି। ନିଯୁକ୍ତି ପ୍ରସଙ୍ଗରେ ସଂରକ୍ଷଣକୁ ଛାତ୍ରଗୋଷ୍ଠୀ ପ୍ରବଳ ବିରୋଧ କରୁଥିବା ବେଳେ କିଛି ଛାତ୍ରଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି । ରାଜନୈତିକ ଦଳମାନଙ୍କ ମଧ୍ୟରେ ମଧ୍ୟ ଏକମତ ନାହିଁ । ଯାହା ଫଳରେ ଦେଶରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।