ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ୧ ଲକ୍ଷ ୫୪ ହଜାର ୧୪୧ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୪ ହଜାର ୬୧୬ରେ ପହଞ୍ଚିଛି। ଏପ୍ରିଲ ମାସରେ ଏମାନଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ରିଲାଏନ୍ସ ଜିଓର ୧ ଲକ୍ଷ ୮୫ ହଜାର ୧୫୯ ଜଣ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅନ୍ୟପକ୍ଷରେ ଏୟାରଟେଲ, ଭୋଡ଼ାଫୋନ ଏବଂ ବିଏସ୍ଏନ୍ଏଲ୍ର ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଏୟାରଟେଲର ୧୨୧୦୮, ଭୋଡ଼ାଫୋନ ଆଇଡିଆର ୧୩୦୪୧ ଏବଂ ବିଏସ୍ଏନ୍ଏଲ୍ର ୫୮୬୯ ଜଣ ଗ୍ରାହକ ମେ ମାସରେ ରାଜ୍ୟରେ କମିଛନ୍ତି। ମେ ମାସରେ ଦେଶରେ ୨.୪୭ ନିୟୁତ ଟେଲିଫୋନ ଗ୍ରାହକ ବୃଦ୍ଧି ପାଇଛନ୍ତି। ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୧୨୦.୩୭ କୋଟିରେ ପହଞ୍ଚିଛି। ଏଥିଯୋଗୁ ଦେଶରେ ଟେଲିସାନ୍ଦ୍ରତା ୮୫.୮୭ ପ୍ରତିଶତକୁ ବୃଦ୍ଧି ଘଟିଛି।