ରାଜଧାନୀ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ବଡ଼ ଅଘଟଣକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଲକ୍ଷ ଲକ୍ଷ ଟଙ୍କା ନେଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କୋଚିଂ ସେଣ୍ଟରର ମାଲିକ । କେଉଁଠି ନିଆଁ ଲାଗିଲେ ଜୀବନ ଯାଉଛି ତ କେଉଁଠି ବେସମେଣ୍ଟରେ ସ୍ବେରେଜ ପାଣି ପଶିଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି । ଏଭଳି ଅଘଟଣରେ ଦିଲ୍ଲୀରେ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନଡିଆରଏଫ ଟିମ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିବା ସହ ଅନ୍ୟ ନିଖୋଜମାନଙ୍କୁ ଖୋଜାଖୋଜି କରୁଛି। ସୂଚନା ଅନୁସାରେ ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଏଭଳି ଦୁର୍ଘଟଣା ଘଟିଛି। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ହଠାତ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୨ଫୁଟ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ିଆସିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି।ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବେସ ମେଣ୍ଟରେ ପାଣି ଆସିବା ପୂର୍ବରୁ ପ୍ରାୟ ୩୦ ଅଧିକ ଛାତ୍ରଛାତ୍ରୀ ଲାଇବ୍ରେରୀରେ ପାଠ ପଢୁଥିବା ବେଳେ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀର ରାଜିନ୍ଦେର ନଗରର ଏକ କୋଚିଂ ସେଣ୍ଟରର ବନ୍ୟାଜଳରେ ବେସମେଣ୍ଟରେ ବୁଡ଼ି ଯାଇ ତିନିଜଣ ସିଭିଲ୍ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀ ପୁଲିସ ଆଉ ସାତ ଜଣଙ୍କୁ ଗିରଫ କରିଛି।