ଭୁବନେଶ୍ୱର : ବିଜେଡିରେ ମିଶିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ । ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ଇତିହାସ ରଚିଥିବା ସ୍ବାଧୀନ ପ୍ରାର୍ଥୀ ଗୁଲମକ୍କି ଦଲାୱାଜି ହବିବ୍ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ଦଳ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି ।
ଭୁବନେଶ୍ଵରସ୍ଥିତ ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସେତେବେଳେ ଶାସକ ବିଜେଡିର ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ଗୁଲମକ୍କି । ଏଥିସହ ଭଦ୍ରକ ପୌର ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁସଲିମ ମହିଳା ଅଧ୍ୟକ୍ଷ ଆସନରେ ବସିଥିଲେ । ଯାହାକୁ ନେଇ ସେତେବେଳେ ଭଦ୍ରକ ପୌରପାଳିକା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା । ଶାସକ ବିଜେଡି ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଆରମ୍ଭରୁ ପୌରାଧ୍ୟକ୍ଷା ପ୍ରାର୍ଥୀ କିଏ ହେବେ ତା’କୁ ନେଇ ଦଳ ବେଶ ଅଡୁଆରେ ପଡ଼ିଥିଲା । ସେପେଟ ପ୍ରାର୍ଥୀ ମନୋନୟନ ପୂର୍ବରୁ ବିଜେଡିର ଟାଣୁଆ ନେତାମାନେ ପୁରୁଣା ବଜାରଠାରେ ଏକ ସମାବେଶରେ ମିଳିତ ହୋଇ ଏହି ଅଞ୍ଚଳରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ମୁସଲିମ ଅଧ୍ୟୁଷିତ ପୁରୁଣା ବଜାର ଅଞ୍ଚଳରୁ ଜଣେ ପ୍ରାର୍ଥୀ କରାଯିବ କି ନାହିଁ ତା’ଉପରେ ଦଳୀୟ ବିଚାର ବିମର୍ଶ ପରେ ବିଜେଡି ପକ୍ଷରୁ ଚରମ୍ପା ଅଞ୍ଚଳରୁ ସମିତା ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ବିଜେଡିର ଏହି ପ୍ରାର୍ଥୀଙ୍କୁ ବିରୋଧ କରି ଭଦ୍ରକ ଜିଲ୍ଲା ଯୁବ ବିଜେଡି ଉପସଭାପତି ଶେଖ ଜାହିଦ ହବିବ୍ (ଜାନୁ) ଆଗକୁ ଆସିଥିଲେ । ନିଜ ପତ୍ନୀ ଉଚ୍ଚ ଶିକ୍ଷିତା ଗୁଲମକ୍କି ଦଲାୱାଜିଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଆଣିଥିଲେ ।