ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗିପାରେ ରାଷ୍ଟ୍ରପତି ଶାସନ । ବୈଠକରେ ଯୋଗଦେବାକୁ ଆପ ମନ୍ତ୍ରୀମାନେ ଆସୁନଥିବାରୁ ଦିଲ୍ଲୀ ଉପରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ଚିଠି ଲେଖିଥିବା ଚର୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ଏବେ ଏଏପିକୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହେବାର ଭୟ ଡରାଇବାରେ ଲାଗିଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛନ୍ତି। ଉପରାଜ୍ୟପାଳ ଚିଠି ଲେଖି ଦିଲ୍ଲୀର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସେ ଚିଠିରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେମାନେ କୌଣସି ବୈଠକରେ ଯୋଗଦେବାକୁ ମନା କରୁଛନ୍ତି। ଉପରାଜ୍ୟପାଳ ଜଳ, ଶିକ୍ଷା, ସ୍ବାସ୍ଥ୍ୟ. ପରିବହନ ଏବଂ ବନ ବିଭାଗର ମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମନ୍ତ୍ରୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ନେଇ ବୈଠକରେ ସାମିଲ୍ ହେବାକୁ ମନା କରିଦେଇଥିଲେ।