ଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଝଟକା । ଗୋଟିଏ ପଟେ ହାଇକୋର୍ଟରୁ ତାଙ୍କୁ ଫଟକାର ଲାଗିଥିବା ବେଳେ ତାଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ତାଙ୍କୁ କାର୍ଯ୍ୟରୁ ବାହାର କରାଯାଇଛି । ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ ଖାରଜ କରିଛନ୍ତି । ସେ କହିଛନ୍ତି ଯେ, ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ । ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ । ଇଡି ପାଖରେ ପଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।