ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି । ଯେଉଁମାନଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଧମକା ଯାଉଛି । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡିରୁ ବିତାଡିତ ତଥା ଅପରାଧିକ କାର୍ଯ୍ୟ ସହ ଜଡିତ ନେତାଙ୍କ ଉଦାହରଣ ଦେଇ ବିଜେପି ଉପରେ ବର୍ଷିଛି ବିଜେଡି ।ଅପରାଧିକ କାର୍ଯ୍ୟ ସହ ଜଡିତ ଥିବା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ବିଜେପିର ପୋଷ୍ଟର ବୟ ସାଜିଛନ୍ତି । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଢି ଚଢାଇଲେ । ଏଥିପାଇଁ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଯେଉଁ ନେତା ତାଙ୍କୁ ଗାଳି ଦେଉଥିଲେ ସେମାନେ ତାଙ୍କୁ ଉତ୍ତରୀୟ ପକାଇ ଦଳରେ ସାମିଲ କଲେ । ଏବେ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି, ସାମ୍ବାଦିକଙ୍କୁ ମାଡ ମାରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିଜ ଦଳର କର୍ମୀଙ୍କୁ ଓଡ଼ିଶା ବିଜେପିର ନେତା କେମିତି ମୁହଁ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।