ଆଜି ଅପ୍ରତ୍ୟାଶିତ ଭାବରେ ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବଡ଼ଚଣାର ପ୍ରାର୍ଥୀ ଭାବେ ଘୋଷଣା କରାଗଲା । ବଡ଼ଚଣା ସହ ବର୍ଷାଙ୍କ ରାଜନୈତିକ, ସାମାଜିକ ସଂପର୍କ ନାହିଁ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ଏହା ସ୍ଥାନୀୟ ଅଂଚଳରେ ଚର୍ଚା ଆରମ୍ଭ କରିଥିଲା । ଟିକେଟରୁ ବଂଚିତ ହୋଇଥିବା ପୁରୁଖା ନେତା ଅମର ଶତପଥୀଙ୍କୁ ଶକ୍ତ ଧକା ପହଁଚାଇଥିଲା । ବଡ଼ଚଣାର ଏହି ଅପ୍ରାତ୍ୟାଶିତ ଟିକେଟ ଅନେକ ଗୁଡିଏ ବାର୍ତା ଦେଉଛି । ରାଜନୀତିରେ ଜିତିବାର ସଂଭାବନା ଆଉ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ କମାଇବା ପାଇଁ ଏପରି ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । କେବଳ ବର୍ଷା ନୁହଁନ୍ତି , ବଡ଼ଗଡ଼ରେ ସାଂସଦ ପ୍ରାର୍ଥୀ ଭାବରେ ବିଜେଡିର ଟିକେଟ ପାଇଥିବା ପରିଣିତି ମିଶ୍ର ଜଣେ ଗୃହିଣୀ । ହଠାତ ଜଣେ ଗୃହିଣୀ ବିଜେଡି ଟିକେଟ ପାଇ ମଇଦାନକୁ ଓହ୍ଲାଇବା ଆଶ୍ଚର୍ଯ୍ୟ କଥା । କିନ୍ତୁ ଏଠି ଗୁରୁତ୍ବପୂର୍ଣ୍ଣ ହେଲା, ତାଙ୍କର ସ୍ବାମୀ ସ୍ଥାନୀୟ ଅଂଚଳର ଜଣେ ବିଜେପି ନେତା ଯିଏ କି ନିକଟରେ ବିଜେଡିରେ ଯୋଗ ଦେଇଥିଲେ । ରାଜନୀତିରେ ଏଭଳି ରଣକୈାଶଳ ଚମକାଇଦେଲା ଭଳି ଲାଗୁଛି ।
ସେହିଭଳି ଆଉ ଜଣେ ମହିଳା ହେଉଛନ୍ତି ଯାହା କୁ ଆଜି ଟିଭି ପରଦାରେ ଭାବବିହ୍ବଳ ହୋଇଥିବା ଦେଖାଯାଇଥିଲା । ସିଏ ହେଉଛନ୍ତି ଜଣେ ସରପଂଚ । ରେମୁଣାରୁ ସେ ବିଜେଡି ଟିକେଟ ପାଇଛନ୍ତି । ଯାହାଙ୍କ ନାମ ହେଉଛି ବିଦ୍ୟାସ୍ମିତା ମହାଳିକ । ଷଷ୍ଠ ପର୍ଯ୍ୟାୟ ସୁଦ୍ଧା 31 ଜଣ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେଡି 135 ଆସନ ପାଇଁ ନାମ ଘୋଷଣା କରିଛି । 12ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ସପ୍ତମ ପର୍ଯାୟରେ ପୁଣି କିଛି ମହିଳାଙ୍କ ନାମ ଘୋଷଣା ହୋଇପାରେ ।
ସେପଟେ ଗତଥର ଭଳି ଏଥର ସାଂସଦ ପ୍ରାର୍ଥୀ ଭାବେ 7ଜଣ ମହିଳାଙ୍କୁ ଟିକେଟ ଦେଇଛି ବିଜେଡି । ଆମ ସମାଜରେ ମହିଳା ଏବଂ ପୁରୁଷଙ୍କ ସଂଖ୍ୟା ସମାନ । କିନ୍ତୁ 50 ପ୍ରତିଶତ ମହିଳା ତାଙ୍କର ନାର୍ଯ୍ୟ ଦାବି ପାଇବା ପାଇଁ ସଂଘର୍ଷ କରିଥାନ୍ତି । ସାଧାରଣତ ଭାବେ ଆବଶ୍ୟକଠାରୁ କମ ଟିକେଟ ମହିଳାମାନଙ୍କୁ ଦିଆଯାଇଥାଏ । ସମାଜର ସବୁ କ୍ଷେତ୍ର ଭଳି ବିଧାନସଭା ଏବଂ ସଂସଦର ପୁରୁଷମାନଙ୍କ କର୍ତୃତ୍ବରେ ରହିଥାଏ । କାରଣ ପୁରୁଷମାନଙ୍କ ସଂଖ୍ୟା ଅଧିକ । ମହିଳାମାନଙ୍କୁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ କାହିଁ କେତେଦିନରୁ ସଂଘର୍ଷ ଚାଳିଛି । ଆଉ ଶେଷରେ ପାର୍ଲାମେଂଟରେ ବିଲ ମଧ୍ୟ ପାସ ହୋଇଛି । କିନ୍ତୁ 33 ପ୍ରତିଶତ ସଂରକ୍ଷଣ ଦେବା ପାଇଁ 2037 ମସିହା ପର୍ଯ୍ୟନ୍ତ ସମୟ ଲାଗିପାରେ । ଏହାର ଆଉ ଏକ ଦିଗ ହେଉଛି ଯାହାକୁ ଏବେ ଟିକେଟ ମିଳୁଛି ସେମାନଙ୍କ ସ୍ବାମୀ ବା ପରିବାର କେଉଁଠି ନା କେଉଁଠି ରାଜନୀତି ସହିତ ଯୋଡି ହୋଇ ରହିଛନ୍ତି । ରାଜନୀତିରେ ସାଧାରଣ ଘରର ମହିଳାଙ୍କୁ ସାଂସଦ ବା ବିଧାୟକ ଭାବରେ କୋଚିତ ଟିକେଟ ମିଳିଥାଏ । ଅନୁଗୁଳର ସଂଯୁକ୍ତା ସିଂହ ପ୍ରଥମ ଥର ପାଇଁ ଟିକେଟ ପାଇଛନ୍ତି କିନ୍ତୁ ତାଙ୍କ ସ୍ମାମୀ ରଜନୀକାନ୍ତ ସିଂହ ଦୀର୍ଘ ଦିନ ଧରି ବିଧାୟକ ସହ ଗୁରୁତ୍ବପୂର୍ଣ ପଦବୀରେ ରହିଥିଲେ ।
ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଟିକେଟ ପାଇଛନ୍ତି । ରବି ନନ୍ଦ ପୂର୍ବରୁ ବିଧାୟକ ସହ ମନ୍ତ୍ରୀ ମଧ୍ୟ ଥିଲେ । ବେଳେ ବେଳେ ସ୍ବାମୀ ଓ ବାପାଙ୍କ ରାଜନୀତିରେ ଲୋକପ୍ରିୟ କମ ଥିବାରୁ ଟିକେଟ ଦେବାକୁ ଅସୁବିଧା ହୋଇଥାଏ । ଯେତେବେଳେ ସେମାନେ ଦଳ ପାଇଁ ବୋଝ ହୋଇଥାନ୍ତି ସେତେବେଳେ ତାଙ୍କ ପିଲାମାନେ ରାଜନୀତିକୁ ଆସିବାକୁ ବାଟ ପ୍ରସ୍ତୁତ ହୋଇଥାଏ । ଅଧିକାଂଶ ରାଜନୀତିକ ଦଳରେ ଏବଂ ସାରା ଭାରତ ବର୍ଷରେ ଏହି ଘଟଣା ଦେଖିବାକୁମ ମିଳିଥିାଏ । କୋଉଠି ନା କୋଉଠି ବଂଶବାଦ ଟିକେଟ ବଂଟନ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ପୁଅ ବା ଝିଅମାନେ ରାଜନୀତିକୁ ଆସୁଛନ୍ତି କାରଣ ତାଙ୍କ ବାପାମାନେ ବର୍ଷ ବର୍ଷ ଧରି ତାଙ୍କ କ୍ଷେତ୍ରକୁ ପ୍ରସ୍ତୁତ କରି ରଖିଛନ୍ତି । ଏହି ଭଳି ନେତାମାନଙ୍କୁ ହଠାତ ସାଂସଦ, ବିଧାୟକ ଟିକେଟ ନଦେଇ ବାହାରେ ରଖିବା ମଧ୍ୟ ସହଜ ନୁହେଁ । ଦଳମାନଙ୍କ ଧାରଣା ହେଉଛି ଏଭଳି କରି ନୂଆ ଲୋକଙ୍କୁ ଯଦି ପରୀକ୍ଷା ଦିଆଯାଏ ହୁଏତ ପ୍ରାର୍ଥୀ ହାରିଯିବାର ଆଶଙ୍କା ରହିଛି । ତେଣୁ ଏତେବଡ଼ ରିକ୍ସ ନେବାପାଇଁ ବା ଏକ୍ସପରିମେଂଟ କରିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି । ନିର୍ବାଚନରେ ରାଜନୈତିକ ତୀବ୍ରତା ବଢ଼ୁଛି । ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିବାକୁ ପାର୍ଟି ଏବେ ଚାହୁଁନାହାଁନ୍ତି । ଏଥପାଇଁ ଆଇନର ଆବଶ୍ୟକତା ରହିଥିଲା । ଆମ ବ୍ୟବସ୍ଥାରେ ନୈତିକତାର ଆଧାର ରହିବା ମଧ୍ୟ ଉଚିତ । ତେବେ କେବଳ ଆଇନ କଲେ ମହିଳାମାନେ ରାଜନୀତିରେ ସାହାରା ପାଇବେ ଆଉ ଆଇନ କଲେ ସେମାନେ ଟିକେଟ ପାଇବେ ତାହା ରାଜନୈତିକ ଅପରିପକ୍ବତାର ସୂଚନା ଦିଏ । ଯୁଗ ବଦଳୁଛି 18ରୁ 19 ବର୍ଷର ପିଲାମାନେ ଯେଉଁମାନେ ନୂଆ କରି ଭୋଟ ଦେବେ ସେମାନଙ୍କ ମଧ୍ୟରୁ ଅନେକ ଭୋଟ ଦେବାକୁ ନାମ ପଂଜିକରଣ କରୁନାହାଁନ୍ତି । ଏହାର କାରଣ ହେଉଛି ଏହି ଯୁବପିଢ଼ିଙ୍କ ମଧ୍ୟରେ ଆମ ଦେଶର ରାଜନୀତି ହେଉଛି ଏକପାଖିଆ । କିଛି ଲୋକ ବା ଗୋଷ୍ଠୀଙ୍କର ଏକଛତ୍ରବାଦୀ ମନଭାବ ଦ୍ବାରା କବଳିତ । ତେଣୁ ପ୍ରଚଳିତ ରାଜନୀତିକୁ ଆମ ଯୁବ ପିଢ଼ି, କିଶୋର କିଶୋରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଆଉ ରାଜନୀତିକୁ ପେଷା କରିବାକୁ ଉଚ୍ଚ ଶିକ୍ଷିତ ଯୁବପିଢ଼ି ଚାହୁଁନାହାଁନ୍ତି । ଏଭଳି ରାଜନୀତି ସମୟରେ ମହିଳା ପ୍ରାର୍ଥୀମାନଙ୍କୁ ନେଇ ଯେଉଁ ଦଳ ରିକ୍ସ ନେବାକୁ ଚେଷ୍ଟା କରୁଛନ୍ତି ସେମାନେ ଧନ୍ୟବାଦର ପାତ୍ର । ବିନା ଆଇନରେ କଣ 50 ପ୍ରତିଶତ ମହିଳାଙ୍କ ଭିତରୁ ଅନନ୍ତ 33 ପ୍ରତିଶତ ମହିଳାଙ୍କୁ ଆମେ ପ୍ରାର୍ଥୀ କରିପାରିବା ନାହିଁ । କେବଳ ଆଇନର ନାଲି ଆଖି ଏହି ସମସ୍ୟାକୁ ସମାଧାନ କରିପାରିବ । ଗଣତନ୍ତ୍ରଣ ଏହା ଏକ ବିଡ଼ମ୍ବନା ନୁହେଁ କି?