ବିଜେପି ଗତଥର ଭଳି ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରେ ରଣନୀତିକୁ ଜୋରଦାର କରିଛି । ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବା ପାଇଁ ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରେ ନବୀନ ପଟ୍ଟନାୟକ ଆଖି ପକାଇଛନ୍ତି । ଏଥର କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଯାହାକୁ ନେଇ ରାଜନୀତି ମହଲରେ ଚର୍ଚା ଜୋର ଧରିଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ ।କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶାକୁ ବିଜେଡି ଫୋକସରେ ରଖିଥିବା କୁହାଯାଉଛି । ଗତଥର ନବୀନ ପଶ୍ଚିମ ଓଡ଼ିଶାରୁ ଲଢିଥିଲେ ଯାହାର ଫାଇଦା ବିଜେଡିକୁ ମିଳିଥିଲା । ତେଣୁ ସେହି ଷ୍ଟ୍ରାଟେଜିକୁ ବିଜେଡି ପୁଣିଥରେ ଦୋହରାଇଛି । ପଶ୍ଚିମ ଓଡ଼ିଶାରେ ବିଜେଡି ବିଧାନସଭାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଲୋକସଭାରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ତେଣୁ ଚଳିତଥର ପଶ୍ଚିମ ଓଡ଼ିଶାରେ ଲୋକସଭା ଆସନରେ ଭଲ ପ୍ରଦର୍ଶନ ପାଇଁ ନବୀନଙ୍କୁ ମୈଦାନକୁ ଓହ୍ଲାଇଥିବା ଚର୍ଚ୍ଚା ହେଉଛି । ୨୦୧୯ରେ କଣ୍ଟାବାଞ୍ଜି ଆସନ କଂଗ୍ରେସ ଖାତାକୁ ଯାଇଥିଲା ।