ଗତଥର ନିର୍ବାଚନଠାରୁ ଏଥର ଅଧିକ ରାଜ ପରିବାର ସଦସ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି । ଧରାକୋଟ ରାଜକୁମାରୀ, ଚିକିଟି ରାଜକୁମାର ଓ କଳାହାଣ୍ଡି, ନୟାଗଡ଼, ଦେବଗଡ଼ ରାଜ ପରିବାର, ଆଳି, ବଲାଙ୍ଗିର, ଧର୍ମଗଡ଼କୁ ମିଶାଇଲେ ଏଥର ପ୍ରାୟ ୧୦ରୁ ଅଧିକ ରାଜ ପରିବାର ସଦସ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟର ସବୁ ପ୍ରାନ୍ତରେ ଥିବା ରାଜବଂଶର କେହି ନା କେହି ଦାୟାଦ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି ମାରିବା ସହ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସର୍ବକନିଷ୍ଠ ଯୁବ ସଦସ୍ୟ ଭାବେ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି।
ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏଥର ଦେବଗଡ଼ ଆସନରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ଅରୁନ୍ଧତୀଙ୍କୁ ଟିକେଟ ମିଳିଛି । କଳାହାଣ୍ଡି ଯୁବରାଜ ଅର୍କକେଶରୀ ଦେଓଙ୍କ ସହଧର୍ମିଣୀ ତଥା ଯୁବରାଣୀ ମାଳବିକା କେଶରୀ ଦେଓ ଏଥର ହୋଇଛନ୍ତି କଳାହାଣ୍ଡିର ଭାଜପା ଏମପି ପ୍ରାର୍ଥୀ । ସ୍ବାମୀ ଅର୍କକେଶରୀ ୨୦୧୪ରେ ବିଜେଡିରୁ ଲଢ଼ି ଏମପି ହୋଇଥିଲେ । ୨୦୧୯ରେ ଅର୍କକେଶରୀଙ୍କ ଟିକେଟ ନ ମିଳିବାରୁ ସେ ଭାଜପାରେ ଯୋଗ ଦେଇଥିଲେ । ତେଣୁ ଏଥର ସ୍ତ୍ରୀ ମାଳବିକାଙ୍କୁ ଏମପି ପ୍ରାର୍ଥୀ କରିଛି ଭାଜପା। ନୟାଗଡ଼ ରାଜ ପରିବାରର ପ୍ରତ୍ୟୁଷା ରାଜେଶ୍ବରୀ ଏଥର ନୟାଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଅରୁଣ ସାହୁ ।
ଗଞ୍ଜାମ ଜିଲାର ଏକ ଚର୍ଚ୍ଚିତ ବିଧାନସଭା ଆସନ ସାନଖେମୁଣ୍ଡିରୁ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେ ହେଉଛନ୍ତି ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ । ୨୦୧୪ରେ ସାନଖେମୁଣ୍ଡି ଆସନରୁ ବିଜେଡିରୁ ଲଢ଼ି ଜିତିଥିଲେ ନନ୍ଦିନୀ ଦେବୀ କିନ୍ତୁ ୨୦୧୯ରେ ପରାଜିତ ହୋଇଥିଲେ । ଏବେ ମାଆଙ୍କ ଆସନରେ ଝିଅ ଲଢ଼ିବାକୁ ଯାଉଛନ୍ତି । ୨୬ ବର୍ଷୀୟ ସୁଲକ୍ଷଣା, ଏଥର ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ । ସେହିପରି ଏଥର ଚିକିଟି ଆସନରୁ ଲଢିବେ ଚିକିଟି ରାଜପରିବାରର ସଦସ୍ୟ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ । ଏଥର ଦେବଗଡ଼ ରାଜପରିବାର ରାଜା ନୀତେଶ ଗଙ୍ଗଦେବ ୨୦୦୪ରେ କଂଗ୍ରେସ ଓ ୨୦୧୪ରେ ବିଜେପିରୁ ଲଢ଼ି ବିଧାୟକ ହୋଇଥିଲେ । ଆଉ ୨୦୧୯ରେ ଭାଜପା ଟିକେଟରେ ହୋଇଥିଲେ ସମ୍ବଲପୁରର ଏମପି । ୨୦୨୪ରେ କିନ୍ତୁ ନୀତେଶଙ୍କ ସହଧର୍ମିଣୀଙ୍କୁ ଦେଖିବାକୁ ମିଳିବ ନିର୍ବାଚନୀ ମଇଦାନରେ ।