ପୁରୀ: ରତ୍ନଭଣ୍ଡାର ଭିତରେ ଅନେକ ରହସ୍ୟ ରହିଛି । ହଜାର ହଜାର କୋଟି ମୂଲ୍ୟର ଧନ ସମ୍ପଦ ସଂଗ୍ରହ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦିଅନ୍ତି । ଏହାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଶେଷ ବ୍ୟବସ୍ଥା ରହିଥିଲେ ମଧ୍ୟ ଚାବି ହଜିବା ଏବଂ ତାଲା ଭଂଗାଯିବା କଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ସ୍ୱର୍ଣ୍ଣ ମୁକଟ, ରତ୍ନ, ଅଳଙ୍କାର, ରତ୍ନ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଲ୍ୟ ବସ୍ତୁ ରହିଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।
ତେବେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ପ୍ରବେଶ କରିଥିବା ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି । ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ, ୫ଟି ଆଲମିରା ଆମ ନଜରରେ ପଡ଼ିଥିବା କଥା କହିଛନ୍ତି। ତିନୋଟି ଚାବିକୁ କଟା ଯାଇ ଦ୍ବାର ଖୋଲାଯାଇଥିବା କହିଛନ୍ତି । ଆଲମିରା କାଠ ଓ ଷ୍ଟିଲ୍ର। ସିନ୍ଦୁକ ସବୁ କାଠର। ରତ୍ନଭଣ୍ଡାର ଘର ଆକାର ପ୍ରାୟ ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ହେବ ବୋଲି କହିଛନ୍ତି। ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥିଲା। ତାଲା ଭିତରୁ ଗୋଟିଏ ଜଉମୁଦ ଦେଇ ସିଲ୍ କରାଯାଇଥିଲା। ବାକି ଦୁଇଟି ଜଉମୁଦ ଦିଆଯାଇନଥିଲା ବୋଲି ଜଷ୍ଟିସ ରଥ କହିଛନ୍ତି। ଜିଲ୍ଲା କୋଷାଗାରରୁ ଯାଇଥିବା ଚାବିରେ ତାଲା ନ ଖୋଲିବାରୁ ତିନିଟିଯାକ ତାଲା କଟାଯାଇ ଭିତରକୁ ଯାଇଥିଲୁ ବୋଲି ଜଷ୍ଟିସ ରଥ କହିଛନ୍ତି।ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ବହୁ କଷ୍ଟସାଧ୍ୟ ଥିଲା। ଏଥିପାଇଁ ଆମକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଗଲା ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଶ୍ରୀ ରଥ କହିଛନ୍ତି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଆଦି ସ୍ଥାନାନ୍ତର ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ସବୁର ଟିକିନିଖି ଭିଡିଓଗ୍ରାଫି କରାଯାଇଛି । କେଉଁ ସ୍ଥାନରୁ କେଉଁ ଅଳଙ୍କାର ଅଣାଯାଇଛି, ତାର ମାର୍କିଂ କରାଯାଇଛି। ସେହି ସ୍ଥାନକୁ ପୁଣି ବାହାର ରତ୍ନଭଣ୍ଡାର ଅଳଙ୍କାର ଫେରିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି।
- ସୁନାର ମହାନ୍ତା ମୁକୁଟ
- ନାଗା ଫଣୀ
- ହାର
- କାନ ଆଳତି
- ବାହୁରେଖା
- ରତ୍ନର ସଜା ତିଆରି ଅଳଙ୍କାରସବୁ ରହିଥିବା ଶ୍ରୀ ଜଗନ୍ନାଥ ଗବେଷକମାନେ କହିଛନ୍ତି ।