ଭୁବନେଶ୍ବର: ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମରୁ ଟିକେଟ ପାଇନଥିବା ସୁରମା ଟିକେଟ ପାଇ ବିଜୟୀ ହେବା ସହ ବାଚସ୍ପତି ହୋଇଛନ୍ତି । ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇଛି । ସୁରମା ପାଢ଼ୀ ୧୯୬୦ ମସିହା ଡିସେମ୍ବର ୨୯ରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିବା ସୁରମା ଆଇନଜୀବୀ ଭାବେ ନିଜର ପେଶା ଆରମ୍ଭ କରିଥିଲେ। ୧୯୮୮ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ। ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସୁରମା ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ଜାତୀୟ କାର୍ଯ୍ୟକାରୀ କମିଟିରେ ସେ ସ୍ଥାନ ପାଇବା ସହ ୨୦୦୪ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ।୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ପରେ ସେ ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ରଣପୁରରୁ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ପ୍ରଥମେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତେବେ ସୁରମାଙ୍କ ସାଂଗଠନିକ ଦକ୍ଷତାକୁ ଅନୁଶୀଳନ କରିବା ପରେ ତାଙ୍କୁ ଦଳ ପୁଣି ଟିକେଟ ଦେଇଥିଲା ।