ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ କିନ୍ତୁ ଆନନ୍ଦ ବଜାରରୁ ଅବଢ଼ା ମିଳିବ ବୋଲି ସୂଚନାରୁ ଜଣାପଡିଛି । ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍କୁ ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ।ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ। ସୂଚନାରୁ ଜଣାପଡିଛି ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମାରୀ, ଗୋଟିଏ ଷ୍ଟିଲ ଆଲମାରୀ, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏଥିରେ ଥିବା ସମସ୍ତ ଅଳଙ୍କାର ଷ୍ଟ୍ରଙ୍ଗରୁମରେ ରଖାଯାଇଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ପ୍ରବେଶ ଓ ଯାଞ୍ଚ ପାଇଁ ୧୨ଜଣିଆ କମିଟି ଗଠନ ହୋଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ, ସଦସ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦାଲି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ କମିଟିରେ ରହିଛନ୍ତି।