ଗତ ୧୬ଦିନ ହେଲା ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏ ରାସ୍ତାଘାଟ ଶୂନଶାନ୍ ହୋଇପଡୁଛି। ପ୍ରବଳ ଖରାରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି। ମଙ୍ଗଳବାର ରାଜ୍ୟରେ ୪୬ ଡିଗ୍ରୀ ସେଲ୍ସିୟସ୍ ପାର୍ କରିଛି ତାପମାତ୍ରା, ଯାହାକି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ବାରିପଦାରେ ସର୍ବାଧିକ ୪୬.୪ ଡିଗ୍ରୀ, ବାଲେଶ୍ୱରରେ ୪୬ ଏବଂ ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ସେଲସିୟସ୍ ଛୁଇଁଛି। ତେବେ ବାଲେଶ୍ୱରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ତାପମାତ୍ରା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ କରାଯାଇଛି। ମଙ୍ଗଳବାର ବିଶ୍ୱର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ରହିଛି। ବାରିପଦା ଦ୍ୱିତୀୟ, ବାଲେଶ୍ୱର ତୃତୀୟ ଏବଂ ଭୁବନେଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଥମ ସ୍ଥାନରେ ଓମାନ୍ର ଜୋବା ସହର ରହିଥିଲାବେଳେ ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ସେଲ୍ସିୟସ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।