ମାହାଙ୍ଗା: ରଶ୍ମିତା ଦାସଙ୍କ ଆତ୍ମାହୁତି ମାହାଙ୍ଗା ମାମଲାରେ ଥାନାରୁ ବିଦା ହେଲେ ବିବାଦୀୟ ଥାନା ଅଧିକାରୀ ବିଜୟ ମଲ୍ଲିକ । ଗତ ମାସ ଅଗଷ୍ଟ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢ଼ାଳି ନିଜ ଶରୀରରେ ଆତ୍ମାହୁତି ଦେଇଥିଲେ ରଶ୍ମିତା । ମାହାଙ୍ଗା ଥାନା ଆନନ୍ଦପୁର ପଞ୍ଚାୟତ,ଖର୍ତ୍ତାଙ୍ଗ ଗ୍ରାମର ରଶ୍ମିତା ଦାସଙ୍କ ସ୍ଵାମୀ ଶଙ୍କର ଦାସଙ୍କୁ ମିଛ ଚୋରୀ ମାମଲାରେ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା ମାହାଙ୍ଗା ପୋଲିସ୍ । ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଥାନାକୁ ଆସି ଥାନା ଅଧିକାରୀଙ୍କୁ ଗୁହାରୀ କରିଥିଲେ ରଶ୍ମିତା । ହେଲେ ଥାନା ଅଧିକାରୀ ବିଜୟ ମଲ୍ଲିକ ଏବଂ ମହିଳା ଏସ.ଆଇ ଇପ୍ସିତା ପ୍ରିୟଦର୍ଶିନୀଙ୍କ ଅତ୍ୟାଚାର ସହି ନପାରି ଥାନା ସମ୍ମୁଖରେ ଆତ୍ମାହୁତି ଦେଇଥିଲେ ରଶ୍ମିତା, ଚିକିତ୍ସା ପାଇଁ ରଶ୍ମିତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ଏବଂ ତାଙ୍କ ଶରୀର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡ଼ିକାଲ ବେଡ୍ ରେ ୫ ଦିନ ସଂଘର୍ଷ କରିବା ପରେ ମେଡ଼ିକାଲ ରେ ଆଖି ବୁଜିଥିଲେ ରଶ୍ମିତା ଦାସ । ରଶ୍ମିତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ବାଜିବା ପରେ ଥାନା ଅଧିକାରୀ ବିବାଦ ଘେରରେ ଛନ୍ଦି ହୋଇଯାଇଥିଲେ । ରଶ୍ମିତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ଆଣି ଥାନା ସମ୍ମୁଖରେ ବସି ନ୍ୟାୟ ପାଇଁ ଦାବୀ କରିଥିଲେ ରଶ୍ମିତାଙ୍କ ପରିବାର ଲୋକେ । ହେଲେ ରଶ୍ମିତାଙ୍କ ମୃତ୍ୟୁକୁ ୨୦ ଦୀନ ବିତିଯାଇଥିଲେ ମଧ୍ୟ ନ୍ୟାୟ ଆଶାରେ ଏବେ ପରିବାର ଲୋକେ । ଅଭିଯୋଗ ଆଧାରରେ ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ଉପରେ ଆଇନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପ୍ରଶାସନ କଟକ ଜିଲ୍ଲା ନିଆଳି ଥାନାକୁ ବଦଳି କରିଥିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ବିଜୟଙ୍କ ପରେ ଏବେ ମାହାଙ୍ଗା ଥାନା ଅଧକାରୀ ଭାବେ ଯୋଗ ଦେବେ ତପନ କୁମାର ରାଉତ