ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡିଛି। ମଙ୍ଗଳବାର ସକାଳ ୮ରୁ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିଲାଣି। ମାଲକାନଗିରିରୁ ମୟୂରଭଞ୍ଜ, ଜଗତ୍ସିଂହପୁରରୁ ବରଗଡ଼ ଯାଏ ଜୀବନଯାତ୍ରା ପ୍ରଭାବିତ। ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରାଦୀପ ୩୦.୮ ଡିଗ୍ରୀ, ପୁରୀ ୩୨.୪ ଡିଗ୍ରୀ, କେନ୍ଦୁଝର ୩୧.୨ ଡିଗ୍ରୀ, ବାଲେଶ୍ୱର ୩୪.୪ ଡିଗ୍ରୀ, ଚାନ୍ଦବାଲି ୩୨.୬ ଡିଗ୍ରୀ, ଝାରସୁଗୁଡା ୩୧.୪ ଡିଗ୍ରୀ, ହୀରାକୁଦ ୩୧ଡିଗ୍ରୀ, ସମ୍ବଲପୁର ୩୦.୪ ଡିଗ୍ରୀ, ରାଉରକେଲା ୩୦ ଡିଗ୍ରୀ ଓ ଗୋପାଳପୁରରେ ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ରୁ ୬ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ସୋମବାର ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏହା ତଳକୁ ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡ଼ାରେ ତାପମାତ୍ରା ଦ୍ୱିତୀୟ ସର୍ବାଧିକ ୪୧.୨ ଡିଗ୍ରୀ ରହିଥିଲା।