ଦିନ ବେଳା ଖଚାଖଚ୍ ଭିଡ଼। ଉପରବେଳା ସମ୍ପୂର୍ଣ୍ଣ ବନ୍ଦ। ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ବର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୢାଲି ପାଇଁ ଅପରାହ୍ନରେ ଜନପଥକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିବାରୁ ଗ୍ରାହକମାନେ ସକାଳୁ ସକାଳୁ ସୁନା ଦୋକାନଗୁଡ଼ିକରେ ଭିଡ଼ ଲଗାଇଥିଲେ। ସବୁ ସୋ’ରୁମ୍ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେମାନେ ସୁନା ହାରଠାରୁ ଆରମ୍ଭ କରି ଚୁଡ଼ି, ଚେନ୍, ମୁଦି, କାନଫୁଲ ଆଦି କିଣି ଘରକୁ ନେଇଥିଲେ। ଆଜି ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ।