ଜେଲରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି କି ? ଅୟସରେ ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା ନିଆଯାଉଛି କି ? ଟେଲିଫୋନ୍ ପାଇଁ ୫୦୦୦ ଟଙ୍କା ଦେବାକୁ ପଡ଼ୁଛି କି? ସାକ୍ଷାତ ପାଇଁ ମାସକୁ ୧୦ ହଜାର ଦେବାକୁ ପଡ଼ୁଛି କି ? ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଛି କି? ଏସବୁର ଏବେ ତଦନ୍ତ ହେବ । ବଳ ଯାହାର ରାଜ୍ୟ ତାହାର ନ୍ୟାୟ ଚାଲିଛି କି ଜେଲରେ । ମାଡ଼ପିଟାରେ କଏଦୀଙ୍କ ମୁଣ୍ଡ ଫାଟିବା ପରେ ଏବେ ଚାରିଆଡେ ଏହି ଚର୍ଚା ହେଉଛି ।
ଜେଲ୍ରେ ବନ୍ଦୀଙ୍କୁ ଆକ୍ରମଣ ପରେ ଏବେ ତନାଘନା ଆରମ୍ଭ ହୋଇଛି । ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ କାହିଁକି ହେଲା ତାହାକୁ ନେଇ ତଦନ୍ତ କରାଯିବ । ଜେକେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ୍ ଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା।ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଜେଲ୍ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନ ଉଠିଛି । କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ।
ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ(DLSA)ଙ୍କୁ ଚିଠି ଲେଖି ଜେଲ୍ ଭିତରର ଗୁମର ଜଣାଇଥିଲେ। ଯେଉଁଥିରେ ଲେଖା ରହିଥିଲା ଯେ ଜେଲ୍ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାଛଡ଼ା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା, ଟେଲିଫୋନ୍ ପାଇଁ ୫୦୦୦ ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ।