ଭୁବନେଶ୍ବର: ବଦଳିଛି ଭୁବନେଶ୍ବର । ସ୍ମାର୍ଟ ସିଟିର ଚେହେରା ବଦଳିଛି । ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା। ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର। ଲକ୍ଷ ଲକ୍ଷ ଲୋକ ଏବେ ରାଜଧାନୀରେ ନିଜର ଭବିଷ୍ୟତ ଦେଖୁଛନ୍ତି । ଓଡ଼ିଶାର ପରିଚୟକୁ ବୃଦ୍ଧି କରିବାରେ ଭୁବନେଶ୍ବର ବିକାଶିତ ହେଉଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ପୋଲିସ କମିଶନର ସଂଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବଚ୍ଛ, ସୁନ୍ଦର ଭୁବନେଶ୍ବର ନିଜ ଐତିହ୍ୟ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ। ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର ବିକାଶ ।