ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ନୂଆ ବର୍ଷ ଆଜିଠୁ ଓଡ଼ିଆ କ୍ୟାଲେଣ୍ଟରରେ ଆରମ୍ଭ ହେଉଛି । ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ପାଇଁ ଘରେ ଘରେ ପୂଜାପାଠ ଆରମ୍ଭ ହୋଇଛି । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି। ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଆଜି ସେଥିପାଇଁ ଘରେ ଘରେ ପଣା ହେବ । ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ।