ଜୀବନ ହାରିବା ପୂର୍ବରୁ ପରିବାର, ସାଙ୍ଗସାଥୀଙ୍କ ଉଦ୍ଦେଶ୍ୟରେ ଏମିତି ବେଦନାଭରା ସୁଇସାଇଡ୍ ନୋଟ୍ ଛାଡ଼ିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ (୩୧)। ଟ୍ରେଡିଂ ଆପ୍ରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଅଚ୍ୟୁତାନନ୍ଦ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଆର୍ପି ଥାନା ଅନ୍ତର୍ଗତ ବାଲିଜୁରୀରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆସନ୍ତା ୧୭ ତାରିଖରେ ଅଚ୍ୟୁତାନନ୍ଦଙ୍କ ବିବାହ ସ୍ଥିର ହୋଇଥିଲା। ଏହାର ସପ୍ତାହେ ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ, ଅଚ୍ୟୁତାନନ୍ଦ ଝାରସୁଗୁଡ଼ା ସହରର ଏକ ହୋଟେଲରେ ମୁଖ୍ୟ କ୍ୟାସ୍ ପରିଚାଳକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ଅପରାହ୍ଣ ୪ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥିଲା। ଏହା ପରେ ସେ ହୋଟେଲରୁ ବାହାରି ଯାଇଥିଲେ। କିଛି ସମୟ ପରେ ସେ ତାଙ୍କ ଘରକୁ ଏକ ଲମ୍ବା ସୁଇସାଇଡ୍ ନୋଟ୍ ହ୍ବାଟସ୍ଆପ୍ ଯୋଗେ ପଠାଇଥିଲେ। ଯେଉଁଥିରେ ସେ ଟେଡ୍ରିଂ ଆପ୍ରେ ଟଙ୍କା ହରାଇଥିବା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଉଲ୍ଲେଖ କରିଥିଲେ।