ଭୁବନେଶ୍ବର: ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବନ କରାଯାଇଛି। ଏହାସହ ମେଡିକାଲ ଛୁଟିରେ ଥିବା ବରିଷ୍ଠ ଆଇପିଏସ୍ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥାର ମଧ୍ୟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନିର୍ବାଚନ କମିସନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂପର୍କିତ ପତ୍ର ଲେଖି ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଡି.ଏସ୍ କୁଟ୍ଟେ ଓ ଆଇଜି(ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଆଶିଷ ସିଂହ ନିର୍ବାଚନରେ ଅନୈତିକ ହସ୍ତକ୍ଷେପ କରୁଥିବା ସଂପର୍କରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଗତକାଲି ନିର୍ବାଚନ କମିସନଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଆଧାର କରି ଶ୍ରୀ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀ କୁଟ୍ଟେଙ୍କ ନାଁରେ ଥିବା ଅଭିଯୋଗ ଫର୍ଦ୍ଦକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବ ଚାର୍ଜସିଟ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।
ସେପଟେ ବିଜେପି କହିଛି ଯେ ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହି ଦୁଇ ଜଣ ଆଇପିଏସ ଅଫିସରଙ୍କ ବିରୁଦ୍ଧରେ ବିଜେପି ବହୁ ଥର ଅଭିଯୋଗ କରିଆସିଛି । ଏହି ଦୁଇ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି ରହି ଶାସକ ବିଜେଡି ପାଇଁ କାର୍ଯ୍ୟ କରିବା ସହିତ ଭୋଟ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ ବୋଲି ବିଜେପି କହିଛି ।