ପ୍ୟାରିସ ଅଲମ୍ପିକ୍ସରେ ଫାଇନାଲ ଖେଳିବାରୁ ବଂଚିତ ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା ଭିନେଶ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିବେ । ଭିନେଶ କୁସ୍ତିରୁ ଏଭଳି ସନ୍ନ୍ୟାସ ନେବା ଘୋଷଣା କରିବା ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। ବୁଧବାର ସେ ଫାଇନାଲ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।