ଆଉ କିଛି ସମୟ ପରେ ଟି-୨୦ ବିଶ୍ୱକପର ଫାଇନାଲ ମହାସମର । ବାର୍ବୋଡାସ୍ ବ୍ରିଜ୍ଟୋନର କେସିଙ୍ଗଟୋନ୍ ଓଭାଲରେ ଭାରତୀୟ ପ୍ରଶଂସକଙ୍କ ଭିଡ଼ ଲାଗିରହିଛି । ସାରା ଭାରତରେ ଏନେଇ ଉତ୍କଣ୍ଠା ରହିଛି । ଦକ୍ଷିଣ ଆଫ୍ରିକାକୁ ହରାଇବା ପାଇଁ ପ୍ରଶଂସକମାନେ ପୂଜା, ହୋମ କରୁଛନ୍ତି । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଦକ୍ଷିଣ ଆଫ୍ରିକା । ଟିମ୍ ଇଣ୍ତିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ଙ୍କ ଯୁଗର ଅନ୍ତ ଘଟିବ। ଦୀର୍ଘ ୩ ବର୍ଷର କୋଚିଂର ଯାତ୍ରା ଆଜିର ମ୍ୟାଚ୍ ପରେ ଶେଷ ହୋଇଯିବ। କେବଳ ଦ୍ରାବିଡ୍ ନୁହନ୍ତି କ୍ୟାପଟେନ୍ ରୋହିତ ଶର୍ମାଙ୍କର ବି ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ଶେଷ ମ୍ୟାଚ୍ ହୋଇପାରେ। ତେବେ ରୋହିତ-ଦ୍ରାବିଡ୍ ଯୁଗର ଅବସାନ ବୋଲି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ତେବେ ଏହି ଯୋଡ଼ିଙ୍କୁ ସମସ୍ତେ ଏବେ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ରୋହିତ, ଦ୍ରାବିଡଙ୍କ ଫ୍ୟାନମାନେ ବେଶ ଉତ୍ସାହିତରେ ମତ ଦେଉଛନ୍ତି । ୨୦୨୧ରେ ଟିମ୍ ଇଣ୍ତିଆର ହେଡ୍ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ ରାହୁଲ ଦ୍ରାବିଡ୍। ଦ୍ରାବିଡ୍ଙ୍କ ନେତୃତ୍ୱରେ ୨୦୨୨ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମିଫାଇନାଲ, ଜୁନ୍ ୨୦୨୩ ରେ ଭାରତ ଟେଷ୍ଟ ଚାମ୍ପିୟନସିପ୍, ନଭେମ୍ବରରେ ଦିନିକିଆ ବିଶ୍ୱକପ୍ର ଫାଇନାଲ ଖେଳିଥିଲେ। ଆଉ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟଙ୍କ ଯୋଡ଼ି ବେଶ୍ ସୁପରହିଟ୍ ରହିଛି। କେବଳ ଫାଇନାଲ ଜିତିବାକୁ ଅପେକ୍ଷା କରିଛନ୍ତି କୋଟି କୋଟି ଲୋକ । ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳିବେ। ଦ୍ୱିତୀୟ ଥର ପାଇଁ ଭାରତ ଏହି ବିଶ୍ୱକପ ଟାଇଟଲ ଜିତିବାକୁ ପ୍ରୟାସ କରିବ। ଏଥି ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଛି। ଏହି ଫାଇନାଲ ମ୍ୟାଚ୍ ଅନେକ କ୍ଷେତ୍ରରେ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ଇତିହାସରେ ଆଉ ଏକ ବିଶ୍ବକପ୍ ତୋଳି ଧରିବା ପାଇଁ ଭାରତକୁ ମିଳିଛି ପୁଣି ଏକ ସୁଯୋଗ। ରାତି ୮ଟାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ଏଥର ଭେଟିବ ଦକ୍ଷିଣ ଆଫ୍ରିକାକୁ। ପ୍ରଥମ ସଂସ୍କରଣ ବିଜେତା ଭାରତ ସହିତ ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟ୍ ଫାଇନାଲ୍ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ଟକ୍କରକୁ ପ୍ରଶଂସକ ବି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ରୋହିତ ଶର୍ମାଙ୍କ ଦଳ ବିଶ୍ବକପ୍ ଜିତିଲେ ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ବିତୀୟ ଥର ଏହି ଟ୍ରଫି ଆଣିପାରିବ। ଭାରତ ୧୯୮୩ ଓ ୨୦୧୧ରେ ଦିନିକିଆା ବିଶ୍ବକପ୍ ଏବଂ ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟରୁ ମୋଟ୍ ୨୬ ଥର ମୁହାଁମୁହିଁରେ ଭାରତ ୧୪ ଓ ଦକ୍ଷିଣ ଆଫ୍ରିକା ୧୧ ବିଜୟ ପାଇଛି। ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି। ଯେଉଁଥିରୁ ଭାରତ ସର୍ବାଧିକ ୪ଥର ବିଜୟୀ ହୋଇଥିଲା। ଏହି ଫାଇନାଲ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭଲରେ ବିଦାୟ ନେବାର ବଡ଼ ସୁଯୋଗ ମଧ୍ୟ ରହିଛି। ଶେଷ ଥର ପାଇଁ ଭାରତ ୨୦୧୩ରେ ଏକ ଆଇସିସି ଟ୍ରଫି ଜିତିଥିବାରୁ ମଧ୍ୟ ଏକ ଦଶନ୍ଧିର ଟ୍ରଫି ମରୁଡ଼ି ଅନ୍ତ ଘଟାଇବା ଆଶା ରଖିଛନ୍ତି ପ୍ରଶଂସକ।