ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ ଆଗ୍ରହ। ଅଲିମ୍ପିକ ପାଇଁ ପ୍ୟାରିସ ସହର ସଜେଇ ହୋଇଛି । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ। ଭାରତୀୟ ସମୟ ରାତି ୧୧.୩୦ରୁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଷ୍ଟାଡିୟମ୍ ବାହାରେ ଉଦ୍ଘାଟନ ଉତ୍ସବ ହେବାକୁ ଯାଉଛି। ପ୍ୟାରିସ୍ ସହର ମଧ୍ୟରେ ଥିବା ସିଏନ୍ ନଦୀରେ ୮୦ରୁ ୧୦୦ ନୌକା ଉପରେ ମାର୍ଚ୍ଚପାଷ୍ଟ ହେବ। ଏହି ନୌକାସବୁ ସିଏନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ନଦୀର ଉଭୟ ପାର୍ଶ୍ବରେ ହଜାର ହଜାର ଦର୍ଶକ ସ୍ବାଗତ କରିବେ। ଇଫେଲ୍ ଟାୱର ନିକଟରେ ଏହା ସମ୍ପନ୍ନ ହେବ। ଏଠାରେ ଚମ୍ପିଆନ୍ ପାର୍କରେ ଉଦ୍ଘାଟନୀ ଉତ୍ସବର ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଅଲିମ୍ପିକ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ଉଦ୍ଘାଟନୀ ଉତ୍ସବରେ ୩୦୦୦ରୁ ଅଧିକ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିବେ।