ଭାରତ କଡ଼ା ମହାମୁକାବିଲାରେ ପାକିସ୍ତାନକୁ ହରାଇଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍ର ଲକ୍ଷ୍ୟ ଦେଇଥିଲା। ଏହାକୁ ପାକିସ୍ତାନ ହାସଲ କରିପାରିନାହିଁ । ହେଲେ ଭାରତୀୟ ବୋଲର ଭିନ୍ନ ଯୋଜନାରେ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାଣିତ ବୋଲିଂ କରି ପାକିସ୍ତାନକୁ ଚାପରେ ଚାପି ଦେଇଥିଲେ। ଶେଷରେ ଚମକପ୍ରଦ ବିଜୟ ବିଜୟ ଉପହାର ଦେଇଥିଲେ। ଯାହାର ନେତୃତ୍ବ ନେଇଥିଲେ ବୁମ୍ ବୁମ୍ ବୁମ୍ରା। ହାର୍ଦିକ, ଅର୍ଶଦୀପ, ସିରାଜ ଓ ଅକ୍ଷର ମଧ୍ୟ ପାକିସ୍ତାନ କାନ୍ଧକୁ ଆହୁରି ତଳକୁ ତଳ କରି ଦେଇଥିଲେ। ଶେଷରେ ଏହି ଦଳ ୭ ୱିକେଟ୍ ହରାଇ ୧୧୩ ରନ୍ରେ ଅଟକି ଯାଇଥିଲା। ନସାଉ ଷ୍ଟାଡିୟମ ଉଲ୍ଲସିତ ଦର୍ଶକଙ୍କ ସହ ପ୍ରତିଟି ଭାରତୀୟଙ୍କ ହୃଦୟ ଖୁସିରେ ଗଦ୍ ଗଦ୍ ଯାଇଥିଲା।
ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରଥମ ଓଭରରେ ୮ ରନ୍ ଯୋଡ଼ି ଥିଲେ ରୋହିତ । ବର୍ଷା ତୃତୀୟ ବାର ଦାଉ ସାଧିବା ପରେ ଖେଳ ସେହିଠାରେ ବନ୍ଦ ହୋଇଥିଲା। ପାଖାପାଖି ଅଧଘଣ୍ଟା ପରେ ଦ୍ବିତୀୟ ଓଭର ଆରମ୍ଭ ହେବା ବେଳକୁ ଉଭୟ କିଛିଟା ଏକାଗ୍ରତା ହରାଇଥିଲେ। ତଥାପି ନସିମ ଶାହଙ୍କ ପ୍ରଥମ ବଲ୍କୁ କୋହଲି କଭର ଅଞ୍ଚଳକୁ ଚୌକା ମାରି ଆତ୍ମବିଶ୍ବାସର ସହ ପୁନର୍ବାର ବ୍ୟାଟିଂ ଆରମ୍ଭ କରିଥିଲେ।
ଏହି ଆତ୍ମବିଶ୍ବାସ କିନ୍ତୁ ବେଶି ସମୟ ତିଷ୍ଠି ରହି ନଥିଲା। କାରଣ ୮ବଲ୍ ବ୍ୟବଧାନରେ ଉଭୟ କୋହଲି ଓ ରୋହିତ ନିଜ ନିଜ ୱିକେଟ୍ ହରାଇଥିଲେ। କୋହଲିଙ୍କୁ ଆଉଟ୍ କରି ନସିମ ମଧୁର ପ୍ରତିଶୋଧ ନେବା ପରେ ଡିପ୍ ସ୍କୋୟାରରେ କ୍ୟାଚ୍ କରାଇ ଭାରତକୁ ସବୁଠୁ ବଡ଼ ଧକ୍କା ଦେଇଥିଲେ। ୧୯ ରନ୍ରେ ଦୁଇ ଓପନର୍ଙ୍କୁ ହରାଇବା ପରେ ରଣନୀତି ବଦଳାଇ ଅଲରାଉଣ୍ଡର୍ ଅକ୍ଷର ପଟେଲଙ୍କୁ ଚତୁର୍ଥ ସ୍ଥାନରେ ପଠାଇଥିଲା ଭାରତ। ପ୍ରତିକୂଳ ପରିସ୍ଥିତି, କଠିନ ପିଚ୍ ଓ ପାକ୍ ଦ୍ରୁତ ବୋଲଙ୍କ ଅଗ୍ନିବର୍ଷୀ ବୋଲିଂକୁ ପ୍ରତିହତ କରି ଉଭୟ ତୃତୀୟ ୱିକେଟ୍ରେ ୩୯ ରନ୍ ଯୋଡ଼ିଥିଲେ। ନିଜ ପାଳି ଆରମ୍ଭରେ ପିଚ୍ ଓ ଆଉଟ୍ ଫିଲ୍ଡକୁ ବୁଝି ନପାରି ପାକିସ୍ତାନକୁ ପନ୍ତ୍ ତିନିଟି ସୁଯୋଗ ଦେଇଥିଲେ। ପ୍ରତିଥର କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଇଥିଲା। ପଡ଼ିଉଠି ସେ ଧୀରେଧୀରେ ନିଜ ଆତ୍ମବିଶ୍ବାସ ବଢ଼ାଇ ଭାରତୀୟ ପାଳିର ସର୍ବାଧିକ ରନ୍ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ ନିରାଶ କରିଥିଲେ। ସୂର୍ଯ୍ୟକୁମାର ୮ ବଲ୍ ଖେଳି ୭ ଏବଂ ଶିବମ ୯ ବଲ୍ ଖେଳି ମାତ୍ର ୩ ରନ୍ କରିବା ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲା। ବିଶେଷ କରି ମୃଦ୍ୟୁପାନୀୟ ବିରତି ପରେ ଭାରତ ୭ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ବିନିମୟରେ ୮୧ ରନ୍ କରିବା ପରେ ୩୮ ରନ୍ରେ ପରବର୍ତ୍ତୀ ୯ ୱିକେଟ୍ ହରାଇ ଗୋଟିଏ ଓଭର ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା।