ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗାତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଛି । ଆଜି ଖେଳାଯାଇଥିବା ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପୁରା ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି ଭାରତୀୟ ପୁରୁଷ ହକି ଦଳ। ୧୯୬୮ ଓ ୧୯୭୨ ରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି। ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇଛି । ପ୍ରଥମେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ସ୍ପେନ ପକ୍ଷରୁ ମିରାଲେସ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ । ଦ୍ୱିତୀୟ କ୍ବାଟରରେ ହରମନପ୍ରୀତ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲେ । ତୃତୀୟ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିଲା ଖେଳ । ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗରେ ଭାରତର ଅଧିନାୟକ ହରମନପ୍ରୀତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ କରାଇଥିଲେ । ପ୍ରଥମ କ୍ବାଟରରେ ସ୍ପେନ ଭଲ ଖେଳିଥିବା ବେଳେ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ କ୍ବାଟରରେ ଭାରତ ଭଲ ଖେଳିଥିଲା । ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇ ରେକର୍ଡ କରିଛନ୍ତି। ସ୍ପେନ ଆଜିର ମ୍ୟାଚ୍ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି। ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ପିଆର ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେସନ କରିଛନ୍ତି। ତାଙ୍କୁ ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି।