ପ୍ରତିଶୋଧ ନେଇଛି ଭାରତ । ଇଂଲଣ୍ଡକୁ ହରାଇ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛି। ବର୍ଷାବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ଶୋଚନୀୟ ଭାବେ ଇଂଲଣ୍ଡକୁ ୬୮ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଏହି ଫର୍ମାଟ୍ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା। ରୋହିତ ଶର୍ମା ୫୭ ରନ୍ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲ୍ରୁ ୪୭ ରନ୍ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ଭଲ ବୋଲିଂ କରି ଇଂଲଣ୍ଡକୁ ପରାସ୍ତ କରିଥିଲେ । ଭାରତ ୧୭୧ ରନ୍ କରିବା ପରେ ଇଂଲିସ୍ ବ୍ୟାଟରଙ୍କୁ ଭାରତୀୟ ସ୍ପିନର୍ ୨୦ ବଲ୍ ପୂର୍ବରୁ ୧୦୩ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ। ବିଶେଷ କରି ଅକ୍ଷର ପଟେଲ୍ ନିଜ ପ୍ରଥମ ୩ ଓଭରରେ ପ୍ରତିଥର ପ୍ରଥମ ବଲ୍ରେ ୱିକେଟ୍ ନେବାରୁ ଇଂଲଣ୍ଡ ଅଣ୍ଟା ଭାଙ୍ଗିଯାଇଥିଲା। ଅକ୍ଷର ପଟେଲ୍ (୪-୦-୨୩-୩)ଙ୍କୁ ତାଳ ଦେଇ ଅନ୍ୟତମ ବାମହାତୀ ସ୍ପିନର୍ କୁଲଦୀପ ୟାଦବ (୪-୦-୧୯-୩) ମଧ୍ୟ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇ ନଥିଲେ। ଭାରତର ପ୍ରିମିୟମ୍ ବୋଲର ଯଶପ୍ରୀତ୍ ବୁମରା (୨.୪-୦-୧୨-୨) ମଧ୍ୟ ଭାରତର ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ। ଅକ୍ଷର ପଟେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା । ୨ ବର୍ଷ ତଳେ ଆଡିଲେଡ୍ ଓଭାଲରେ ଭାରତକୁ ସେମିଫାଇନାଲ୍ରେ ୧୦ ୱିକେଟ୍ରେ ହରାଇ ଇଂଲଣ୍ଡ ଫାଇନାଲ୍ ଖେଳିବା ସହ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା। ଭାରତ ଏବେ ଏହାର ଠିକଣା ପ୍ରତିଶୋଧ ନେଇଛି।