ପାଲେକେଲ୍: ଭାରତର ଶ୍ରୀଲଙ୍କା ଗସ୍ତ ମଧୁର ହୋଇଛି । ନୂଆ କୋଚ ଗମ୍ଭୀରଙ୍କ କାର୍ଯ୍ୟ ଆରମ୍ଭ ସିରିଜ ବିଜୟୀରୁ ଆରମ୍ଭ ହୋଇଛି । ନୂଆ କ୍ୟାପ୍ଟେନ ମଧ୍ୟ ଚମକିଛନ୍ତି । ସୁପର୍ ଓଭରରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ । ଶେଷ ମ୍ୟାଚରେ ଉଭୟ ଦଳ ୧୩୭ ରନ୍ରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ଭାରତ ବିଜୟୀ ହୋଇଥିଲା । ଟସ୍ ଜିତିଥିବା ଶ୍ରୀଲଙ୍କା ପାୱାର ପ୍ଲେ ଭିତରେ ଭାରତର ୪ ୱିକେଟ୍ ନେଇଥିଲା। ନବମ ଓଭର ବେଳକୁ ଭାରତ ୪୮/୫ରେ ସଂଘର୍ଷ କରିଥିଲା। ସଂଜୁ ସାମ୍ସନ୍ (୦), ରିଙ୍କୁ ସିଂହ (୨), ସୂର୍ଯ୍ୟକୁମାର (୮) ବିଫଳ ହେବାପରେ ଭାରତ ବଡ଼ ସ୍କୋର କରିପାରିନଥିଲା ।
ଶ୍ରୀଲଙ୍କା ଭାରତକୁ ବଡ଼ ସ୍କୋର ସୁଯୋଗ ଦେଇ ନଥିଲା। ଶୁବମନ ଗିଲ, ରିୟାନ ପରାଗ ଓ ୱାଶିଂଟନ ସୁନ୍ଦର ଉପଯୋଗୀ ପାଳି ଖେଳିବାରୁ ଭାରତ ସମ୍ମାନଜନକ ସ୍କୋର କରିଥିଲା। ତେବେ କୁଶଲଙ୍କ ଭଲ ବ୍ୟାଟିଂ ପାଇଁ ପ୍ରଥମେ ଲାଗୁଥିଲା ଶ୍ରୀଲଙ୍କା ନିଶ୍ଚିତ ବିଜୟୀ ହେବ । ୱାସିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ୟାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇ ମ୍ୟାଚ୍କୁ ଟାଇ କରି ଦେଇଥିଲେ। ଏପରିକି ଶେଷ ଓଭରରେ ୬ ବଲ୍ରୁ ୬ ରନ୍ ଆବଶ୍ୟକ ଥିବା ବେଳେ ସୂର୍ଯ୍ୟକୁମାର ୫ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିବା ରୋମାଞ୍ଚପୂର୍ଣ୍ଣ ମୁହୂର୍ତ୍ତ ଆଣି ଦେଇଥିଲା। ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍ରେ ୨ ରନ୍ ଦେଇ ୨ ୱିକେଟ୍ ଦଖଲ କରିନେଇଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲ୍କୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ଏହା ପରେ ଓ୍ବାନ ଡେ ମ୍ୟାଚ ଖେଳାଯିବ । ଏଥିରେ ଭାରତ କଣ କରୁଛି ତାହା ଦେଖିବାକୁ ପ୍ରଶଂସକମାନେ ଅପେକ୍ଷାରେ ଅଛନ୍ତି ।