ମୁମ୍ବାଇ: ମୁମ୍ବାଇକୁ ହରାଇଲା ଚେନ୍ନାଇ । ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ୧୦୫ ରନ୍ ଫରକ ପଡ଼ିଲା ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍ରେ ସୀମିତ ରହିଯାଇଥିଲା। ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ବିଜୟ ଦେଇପାରି ନଥିଲେ। ରୋହିତଙ୍କ ବାଦ୍ କେବଳ ତିଳକ ବର୍ମା ୩୧ରନ୍ , ଈଶାନ କିଶନ ୨୩, ଟିମ୍ ଡେଭିଡ୍ ୧୩ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅଜିଙ୍କ୍ୟ ରାହାଣେଙ୍କ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ମଥିଶା ପଥିରଣା (୪-୦-୨୮-୪) ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ମାରାତ୍ମକ ବୋଲିଂ କରି ସେ ୪ ପ୍ରମୁଖ ବ୍ୟାଟର୍ ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ରୋମାରିଓ ସେଫର୍ଡଙ୍କ ୱିକେଟ୍ ଦଖଲ କରିବା ମୁମ୍ବାଇକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇ ନଥିଲେ। ରୋହିତଙ୍କ ଶତକ ପୂର୍ବରୁ କିନ୍ତୁ ରବିବାର ରାତିରେ ମହେନ୍ଦ୍ର ସିଂହ ଧୋନିଙ୍କ ହ୍ୟାଟ୍ରିକ୍ ଛକା କ୍ରିକେଟ୍ପ୍ରେମୀଙ୍କ ମନ ମୋହିନେଇଥିଲା। ଏହି ଦୁଇ ମହାରଥୀଙ୍କ ମହାଲଢ଼େଇ ପୂର୍ବରୁ ୱାଙ୍ଖେଡ଼େ ଦର୍ଶକ ପୁଣି ଥରେ ତାଛଲ୍ୟଭରା ଢଙ୍ଗରେ ବଡ଼ ପାଟି କରି ମୁମ୍ବାଇ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଚିଡ଼ାଇଥିଲେ। ହାର୍ଦିକ କିନ୍ତୁ ଟସ୍ ଜିତି ନେଇଥିଲେ। ତୁରନ୍ତ ଚେନ୍ନାଇକୁ ବ୍ୟାଟିଂ ପାଇଁ ଡାକିଥିଲେ। ଦକ୍ଷିଣ ଆଫ୍ରିକୀୟ ଜେରାଲ୍ଡ କୋଏତ୍ଜେ ପ୍ରତିପକ୍ଷ ଓପନର ଅଜିଙ୍କ୍ୟ ରାହାଣେଙ୍କୁ ୫ ରନ୍ରେ ଆଉଟ୍ କରି ପାଣ୍ଡ୍ୟାଙ୍କ ନିଷ୍ପତ୍ତିର ସମ୍ମାନ ରଖିଥିଲେ। ଏହା ସତ୍ତ୍ବେ ଚେନ୍ନାଇ ତା ଆକ୍ରମଣ ଧାରାକୁ ରୋକି ନଥିଲା। ରାଚିନ ରବୀନ୍ଦ୍ର ୨୧ ରନ୍ ଓ ଡାରିଲ ମିଚେଲ ୧୭ ରନ୍ ଦ୍ରୁତ ଖେଳିଥିଲେ। ତେବେ ଋତୁରାଜ ଗାଏକ୍ବାଡ୍ ୬୯ରନ୍ ଓ ଶିବମ ଦୁବେ ୬୬ ରନ୍ ଙ୍କ ମଧ୍ୟରେ ହୋଇଥିବା ୯୦ ରନ୍ର ଭାଗୀଦାରି ପାଇଁ ଚେନ୍ନାଇ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହୋଇଥିଲା। ଋତୁରାଜ ୩୩ ଓ ଶିବମ ୨୮ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ନିଜ ନିଜ ଚମକ ଛାଡ଼ିଥିଲେ। ଚେନ୍ନାଇ ପାଳିର ସବୁଠୁ ବଡ଼ ଧମାକା ଶେଷ ଓଭରରେ ଦେଖିବାକୁ ମିଳିଥିଲା। ହାର୍ଦିକ ପାଣ୍ଡ୍ୟାଙ୍କୁ ଧୂଲେଇ କରି କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ମାତ୍ର ୪ ବଲ୍ ଖେଳି ତିନିଟି ଛକା ବଳରେ ୨୦ ରନ୍ କରିଥିଲେ।