ରାଜ୍ୟ ସରକାର ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ୍ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ ବଜେଟରେ ୯୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ରାଜ୍ୟର କ୍ରୀଡ଼ା ଓ ଯୁବସେବା ପାଇଁ ୧,୩୧୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। କ୍ରୀଡ଼ା ପ୍ରୋତ୍ସାହନ ପାଇଁ ସରକାର ପ୍ରଥମଥର ପାଇଁ ରାଜ୍ୟର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡ଼ାନୀତି ଆରମ୍ଭ କରିବେ। ସେହିପରି ସମଗ୍ର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ। ଏଥିପାଇଁ ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ଓ ମିନି ଷ୍ଟାଡିୟମ୍ଗୁଡ଼ିକୁ ସକ୍ରିୟ କରିବା, ଜିଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲାର ଲୋକପ୍ରିୟ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ରାଜ୍ୟର ୪ଟି ଜୋନ୍ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା ଆଦି ପଦକ୍ଷେପ ଗ୍ରହଣ କରାଯିବ। ଏତଦ୍ବ୍ୟତୀତ ଯୁବବର୍ଗର ସମନ୍ବିତ ବିକାଶ ପାଇଁ ଏକ ନୂତନ ଯୋଜନା ‘ଯୁବ ଶକ୍ତି’ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଓ ଆର୍ଥିକ ସହାୟତା ମାଧ୍ୟମରେ ଯୁବ ମେଧାବୀ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ କରାଯିବ। ଏଥିପାଇଁ ସରକାର ‘ଖେଳରତ୍ନ ଖୋଜା ଅଭିଯାନ’ କାର୍ଯ୍ୟକାରୀ କରିବେ।